ଏଥର ଇଦ-ଉଲ୍-ଫିତର ନମାଜ୍ ଘରେ: ଶାହି ଇମାମ

Published By : Prameya-News7 Bureau | May 10, 2021 IST

ନୂଆଦିଲ୍ଲୀ ୧୦।୫: କରୋନା ଭାଇରସ ମହାମାରୀ ଲାଗି ଆଗାମୀ ଇଦ-ଉଲ୍-ଫିତର ନମାଜ ଘରେ ରହି କରିବା ଲାଗି ଦିଲ୍ଲୀର ଦୁଇ ଐତିହାସିକ ମସଜିଦ୍‌ର ଶାହି ଇମାମ ଲୋକଙ୍କୁ ନିବେଦନ କରିଛନ୍ତି। ଏଥିଲାଗି ସେମାନେ ଜାରି କରିଥିବା ଭିଡିଓ ବାର୍ତ୍ତାରେ ଏଥର କରୋନା ଭାଇରସ ମହାମାରୀ ପ୍ରକୋପକୁ ନଜରରେ ରଖି ଘରେ ହିଁ ଇଦ ରିତିନୀତି ପାଳନକରିବାକୁ ଇମାମ ମାନେ ନିବେଦନ କରିଛନ୍ତି। ଏଥିରେ ଜମା ମସଜିଦ୍‌ ଶାହି ଇମାମ ସୟଦ ଅହମ୍ମଦ ବୁଖାରୀଙ୍କର ମଧ୍ୟ ଭିଡିଓ ବାର୍ତ୍ତା ରହିଛି।

ଚଳିତବର୍ଷ ଇଦ୍‌ ଉତ୍ସବ ଦେଶରେ ଗୁରୁବାର ଅଥବା ଶୁକ୍ରବାର ପାଳିତ ହୋଇପାରେ। ଏଣୁ ବୁଖାରୀ ତାଙ୍କ ବାର୍ତ୍ତାରେ ‘କରୋନା ଭାଇରସ ୱବା (ମହାମାରୀ) ରୂପରେ ସାରା ଦେଶରେ ବ୍ୟାପିବାରେ ଲାଗିଛି।  ଏହି ଭୂତାଣୁ ବହୁମାତ୍ରାରେ ଲୋକଙ୍କୁ ସଂକ୍ରମିତ କରୁଛି। ଏପରି କୟାମତ (ପ୍ରଳୟ) ଆମେ ଆମ ଜୀବନକାଳରେ କେବେ ଦେଖିନେ। ଏଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋ ମତରେ ଇଦ ନମାଜ ନିଜ ନିଜ ଘରେ ଆୟୋଜନ କରାଯିବା ଭଲ ’ ବୋଲି କହିଛନ୍ତି।    ସେ କହିଛନ୍ତି ଯେ ‘ଏପରି ପରିସ୍ଥିତିରେ ସରିୟତ ଘରେ ନମାଜ ପଢିବାକୁ ଅନୁମତି ମଧ୍ୟ ଦେଇଛନ୍ତି’।

{"id":450882,"width":836,"height":565,"sizeSlug":"large","linkDestination":"none"}

ସେହିପରି ଚାନ୍ଦିନୀ ଚୌକସ୍ଥିତ ଫତେପୁର ମସଜିଦର ଶାହି ଇମାମ ମଧ୍ୟ ଏକ ଭିଡିଓବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ ଦେଶରେ ଏବେ କରୋନା ଭାଇରସର ଦ୍ୱିତୀୟ ଲହର ଚାଲିଥିବା ଓ ଏଥିରେ ଦୈନିକ ଲକ୍ଷଲକ୍ଷ ଲୋକେ ଆକ୍ରାନ୍ତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ପ୍ରାଣ ହାନୀ ହେଉଥିବା କହିଛନ୍ତି। ଏଣୁ ପରିସ୍ଥିତି ଦୃଷ୍ଟିରୁ ଅଧିକ ସତର୍କତା ଅବଲମ୍ବନ କରିବା ବାଞ୍ଚନୀୟ।  ରମଜାନେ ଆମେ ଘରେ ରହି ଉପାଶନା କରିଛେ। ଗତବର୍ଷ ଆମେ ଘରେ ଇଦ ନମାଜ କରିଛେ। ଏଣୁ ସମସ୍ତଙ୍କୁ ନିବେଦନ କରୁଛି ଇଦ ଦିନ କେହି ମସଜିଦ୍ ଆଡକୁ ନଆସନ୍ତୁ ବୋଲି ସେ କହିଛନ୍ତି। 

ସେ ଘରେ ରହି ଲୋକଙ୍କୁ ଉପାଶନା କରିବାକୁ କହିଛନ୍ତି, ଏଥିଲାଗି ଶରିୟତରେ ମଧ୍ୟ ନିର୍ଦ୍ଦେଶ ଥିବା ସେ ସୂଚିତ କରିଛନ୍ତି। ଏଣୁ ଇଦ ଦିନ ମସଜିଦରେ ନମାଜ ନ କରି ଘରେ ସକାଳେ ଚାର ରକାତ ନମାଜ ଓ ‘ତକବିର’ ପାଠ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସମସ୍ତଙ୍କୁ ସେ ସଦକା-ଏ-ଫିତ୍ର (ଦାନ) ଲାଗି ଉତ୍ସାହିତ କରିଛନ୍ତି। ବିଶେଷ କରି କରୋନା ଭାଇରସ ପ୍ରଭାବିତ ପରିବାରଙ୍କୁ ମନଖୋଲି ସହାୟତା  କରିବାକୁ ସେ ଆହ୍ୱାନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.