ପଲିଥିନ୍ ତଳେ ଦିନ କାଟୁଛନ୍ତି ପୁରା ପରିବାର, ଦିବ୍ୟାଙ୍ଗ ହୋଇ ବି ମିଳିନି ସରକାରୀ ସହାୟତା

Published By : Prameya-News7 Bureau | June 15, 2021 IST

ବେତନଟୀ ୧୫।୦୬: ଜନସାଧାରଣଙ୍କ ହିତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି । ସରକାରୀ ଯୋଜନାରେ ବାସହୀନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ମାଧ୍ୟରେ ଘର ଖଣ୍ଡିଏ ଯୋଗାଇଦିଆଯାଉଛି । କିନ୍ତୁ ଏହି ସବୁ ଯୋଜନାକୁ ଦୀର୍ଘ ୧୦ବର୍ଷରୁ ଅଧିକ ସମୟ ଧରି ଅପେକ୍ଷା କରିଛନ୍ତି ମୟୁରଭଞ୍ଜ ଜିଲ୍ଲା ବେତନଟୀ ବାଲକା ଗାଁର ମଧୂସୂଦନ ବିନ୍ଧାଣିଙ୍କ ପରିବାର ।

ବେତନଟୀ ବ୍ଳକ ଗଡଦେଉଳିଆ ପଞ୍ଚାୟତର ବାଲକା ଗାଁର ମଧୁସୂଦନ ବିନ୍ଧାଣି  ଓ ତାଙ୍କର ସ୍ତ୍ରୀ ପୁଅ ସହିତ ଅଛନ୍ତି ଜଣେ ଦିବ୍ୟାଙ୍ଗ ଝିଅ । ଶତକଡା ୮୦ ଭାଗ ଦିବ୍ୟାଙ୍ଗ ଝିଅ ଭତ୍ତା ପାଉଛନ୍ତି,  କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଘରଟିଏ ମିଳିପାରୁନାହିଁ । ପଞ୍ଚାୟତ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ପର୍ଯ୍ୟନ୍ତ ଗୁହାରି କରିଛନ୍ତି ମଧୁସୂଦନ  । ହେଲେ ଏବେ ଯାଏଁ ଏହାର କିଛି ସୁଫଳ ମିଳିପାରିନାହିଁ ।  ଦିବ୍ୟାଙ୍ଗ ଝିଅ ପାଇଁ କୌଣସି ଯୋଜନାରେ ଘରଟିଏ ମିଳିପାରିନାହିଁ  । ଖୋଲା ଆକାଶ ତଳେ ରୋଷେଇ କରିବା ସହ ପଲିଥିନ ତଳେ ଦିନ କାଟୁଛନ୍ତି  ପୁରା ପରିବାର ।

ସେହିପରି  ଗତ ୨୨ ତାରିଖ ୧୦ ମାସ ୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆବେଦନ କରିଛନ୍ତି ମଧୁସୂଦନ । ଅଭିଯୋଗ ପ୍ରକୋଷ୍ଠ ରେ CMOFF/P/2019/03968 ନମ୍ବରରେ ମଧୁସୂଦନଙ୍କର ଆବେଦନର ପଞ୍ଜୀକରଣ ମଧ୍ୟ ହୋଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସୁଫଳ ମିଳିପାରିନାହି । ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଘର ଖଣ୍ଡିଏ ମିଳିବା ଆଶା ଓ ଭରସାରେ ଦିନ କାଟୁଛନ୍ତି ମଧୁସୂଦନଙ୍କର ପରିବାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.