ଶିଶୁକୁ ମା ସହ ଭେଟ କରାଇବାକୁ ରାତିରେ ଖୋଲିଲା କୋର୍ଟ, ଜାଣନ୍ତୁ କେଉଁଠି
31/01/2020 at 5:29 PM

ଭୋପାଳ ୩୧।୧: ଦେଶରେ ବଡବଡ ମାମଲାକୁ ନେଇ ପ୍ରାୟତଃ ରାତି ସମୟରେ କୋର୍ଟ ଖୋଲିଥାଏ । କିନ୍ତୁ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ପୁଅକୁ ନିଜ ମାଆ ସହିତ ଭେଟ କରିବାକୁ ରାତିରେ ଖୋଲାହେଲା କୋର୍ଟ ଓ ଶିଶୁକୁ ମାଆ ସହିତ ଭେଟ କରିବାକୁ ଦିଆଗଲା ଅନୁମତି ।
ମଧ୍ୟପ୍ରଦେଶର ସାଗର କେନ୍ଦ୍ରୀୟ ଜେଲ୍ରେ ଭୋପାଳର ଏକ ପରିବାର କୌଣସି ଏକ ମାମଲାରେ ଜେଲ୍ କାଟୁଛନ୍ତି । ବୁଧବାର ଜେଲରେ କୈଦୀ ଥିବା ମହିଳାଙ୍କୁ ଭେଟିବାକୁ ତାଙ୍କର ୪ ବର୍ଷର ପୁଅ କାନ୍ଦୁଥିଲା । ମାଆକୁ ଭେଟିବାକୁ ଆସି ଶିଶୁଟି ବହୁ ରାତି ପର୍ଯ୍ୟନ୍ତ ଜେଲ୍ ପରିସରରେ ବସି ରହିଥିଲା । ପରେ ମହିଳାଙ୍କ ସମ୍ପର୍କୀୟ ଜେଲ୍ ପ୍ରଶାସନକୁ ଶିଶୁ ସହିତ ମାର ଭେଟ କରାଇବାକୁ ଅନୁରୋଧ କରିଥିଲେ । ହେଲେ ଏଥିରେ କିନ୍ତୁ ନିରୁପାୟ ଥିଲେ ଜେଲ୍ ପ୍ରଶାସନ। ତେଣୁ ମାଆଙ୍କ ସହ ଶିଶୁର ସାକ୍ଷାତ ଏବେ ସମ୍ଭବ ନୁହେଁ ବୋଲି ସଫାସଫା ଶୁଣାଇ ଦେଇଥିଲେ ଜେଲ୍ ପ୍ରଶାସନ ।
ଘଟଣାର ବିସ୍ତୃତ ତଥ୍ୟ ଜେଲ ଅଧୀକ୍ଷକଙ୍କୁ ଜଣା ଯାଇଥିଲା । ଜେଲ୍ ଅଧୀକ୍ଷକ ସୋଲାଙ୍କିସ୍ଥିତ ସ୍ୱତନ୍ତ୍ର ଜଜ୍ଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ମାନ୍ୟବର ଜଜ୍ ଘଟଣା ସମ୍ପର୍କ ସମସ୍ତ ତଥ୍ୟ ହାସଲ କରି ମା ପକ୍ଷରୁ ଏକ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ବୁଧବାର ଦିନ ରାତି ସାଢେ ୮ଟାରେ ମାନ୍ୟବର ଜଜ୍ କୋର୍ଟ ରୁମ୍ରେ ପହଞ୍ଚିଥିଲେ । ରାତିରେ କୋର୍ଟ ଖୋଲିବା ପାଇଁ ଆବେଦନ କରାଯାଇଥିଲେ ଏବଂ ମହିଳାଙ୍କ ପକ୍ଷରୁ ଶିଶୁକୁ ଭେଟିବା ଲାଗିଆବେଦନ କରାଗଲା । ନ୍ୟାୟମୂର୍ତ୍ତୀ ମାମଲାର ଶୁଣାଣି କରି ଶିଶୁକୁ ଜେଲ୍ ପରିସରରେ ପ୍ରବେଶ କରିବା ପାଇଁ ଅନୁମତି ଦେଇଥିଲେ । ନ୍ୟାୟଳୟ ନିଜର କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଇ କୋମଳମତି ଶିଶୁକୁ ନିଜ ମାଆ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଇଥିଲେ ।