ନିଶାସକ୍ତ ଯୁବକର ନାରକୀୟ କାଣ୍ଡ, ୧୬ଜଣଙ୍କୁ ଫୋଡ଼ିଲା ଏଚ୍ଆଇଭି ସଂକ୍ରମିତ ସେଫ୍‌ଟିପିନ୍‌, ଭୟ ଓ ଆତଙ୍କରେ ସମସ୍ତେ…

Published By : Prameya-News7 Bureau | August 15, 2020 IST

ପୁରୀ ୧୫। ୦୮: ନନ୍ଦୋତ୍ସବ ପାଳନର ଭିଡ଼ ଭିତରେ ଜଣେ ଦୁର୍ବୃତ୍ତ ଘଟାଇଛି ନାରକୀୟ କାଣ୍ଡ। ଜଣେ ଏଚ୍‌ଆଇଭି ସଂକ୍ରମିତ ନାବାଳକ ଦେହରେ ସେଫ୍ଟିପିନ୍‌ ଫୋଡ଼ି ପରେ ଏହାକୁ ଆଉ ୧୬ ଜଣଙ୍କ ଦେହରେ ଫୋଡ଼ି ଆତଙ୍କ ଖେଳାଇଛି। ଘଟଣାଟି ହେଲା ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନସ୍ଥ ଏକ ଗାଁରେ । ୧୪ ଜଣ ନାବାଳକ ଓ ୨ ଜଣ ଯୁବକଙ୍କ ଦେହରେ ରକ୍ତଲଗା ସଂକ୍ରମିତ ସେଫ୍ଟିପିନ୍‌ ଫୋଡ଼ିଛି ଦୁର୍ବୃତ୍ତ । ସମସ୍ତେ ଆତଙ୍କିତ ଅବସ୍ଥାରେ କେବଳ ଟିଟାନାସ୍‌ ଇଞ୍ଜେକ୍ସନ୍‌ ନେଇ ୧୫ ଦିନ ପରେ ଏଚ୍‌ଆଇଭି ପରୀକ୍ଷା କରାଇବାକୁ ଅପେକ୍ଷା କରିଛନ୍ତି ।

ପୁରା ଘଟଣାଟି , ଜନ୍ମାଷ୍ଟମୀ ପରେ ସମ୍ପୃକ୍ତ ଗ୍ରାମରେ ବୁଧବାର ନନ୍ଦୋତ୍ସବ ପାଳନ କରାଯାଉଥିଲା । ଗୋପାଳମାନେ କୃଷ୍ଣ ବଳରାମ ବେଶରେ ଗାଁ ପରିକ୍ରମା କରୁଥିଲେ । ଭିଡ଼ ଭିତରେ ଜଣେ ୨୩ ବର୍ଷର ଯୁବକ ରଚିଥିଲା ଏହି ଅଭାବନୀୟ କାଣ୍ଡ। ଯୁବକ ଜଣକ କୌଣସି ଏକ କାରଣରୁ ଗାଁର କିଛି ନାବାଳକଙ୍କ ଉପରେ ପ୍ରତିଶୋଧ ନେବାକୁ କରିଥିଲାଯୋଜନା। ଏହି ଗାଁରେ ଜଣେ ନାବାଳକ ଥିଲା ଏଚ୍‌ଆଇଭି ସଂକ୍ରମିତ । ନିଶାସକ୍ତ ଯୁବକ ଜଣକ ଏହି ନାବାଳକ ଦେହରେ ଏକ ସେଫ୍ଟିପିନ୍‌ ଫୋଡ଼ିଥିଲା । ପରେ ଭିଡ଼ ଭିତରେ ଉକ୍ତ ସେଫ୍ଟିପିନ୍‌‌ ୧୪ ଜଣ ନାବାଳକଙ୍କ ସହ ୨ ଜଣ ଯୁବକଙ୍କ ଦେହରେ ଫୋଡି ଫେରାର ହୋଇ ଯାଇଥିଲା । କିଛି ନାବାଳକ ସେଫ୍ଟିପିନ ଫୋଡିବାବେଳେ ସମ୍ପୃକ୍ତ ଯୁବକକୁ ଚିହ୍ନିପାରି ବିରୋଧ ମଧ୍ୟ କରିଥିଲେ ।

ଗୁରୁବାର ଜଣେ ସଂକ୍ରମିତ ନାବାଳକର ଦେହରେ ଛୁଞ୍ଚି ଫୋଡି ହୋଇଥିବା ସ୍ଥାନ ଫୁଲି ଯାଇଥିଲା । ଏନେଇ ସେ ଯୁବକ ଫୋଡ଼ିଥିବା ଘରେ କହିଥିଲା । ଏକଥା ପ୍ରଘଟ ହେବା ପରେ ଜଣ ଜଣ କରି ସମସ୍ତ ନାବାଳକ ସେହି ସମାନ କଥା କହିଥିଲେ । ସମସ୍ତଙ୍କ ଦେହରେ ଫୋଡ଼ା ଦାଗ ଥିବା ଗ୍ରାମବାସୀ ଦେଖିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଗୁରୁବାର ଏକ ବୈଠକ ବସିଥିଲା । ବୈଠକରେ ଉତ୍ତେଜନା ପ୍ରକାଶ ପାଇବା ସହ ଜଣେ ମୁରବିଙ୍କ ମୁଣ୍ଡରେ ଆଉ ଜଣେ ଇଟା ଛେଚି ଦେଇଥିଲେ । ଫଳରେ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । କରୋନା କଟକଣା ଉଲ୍ଲଙ୍ଘନ କରି ଗାଁରେ ନନ୍ଦୋତ୍ସବ ପାଳନ କରାଯାଇଥିବାରୁ ଏହି ଘଟଣାକୁ ଗାଁରେ ଚାପି ଦିଆଯାଇଛି । ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଗାଁ କଥା ଗାଁରେ ରହିବ ବୋଲି ସ୍ଥିର କରାଯାଇଛି । ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳି ଯାଇଛି । ଗାଁରେ ଥିବା ଆଶା କର୍ମୀ ଗାଁ ଲୋକଙ୍କୁ ବୁଝାସୁଝା କରିବା ପରେ ୨୪ ଘଣ୍ଟା ପରେ ଅର୍ଥାତ୍‌ ଗୁରୁବାର ସନ୍ଧ୍ୟାରେ ୨ ଯୁବକଙ୍କ ସହ ସମସ୍ତ ନାବାଳକ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆସିଥିଲେ । ହେଲେ ସେଠାରେ ଟିଟାନାସ୍‌ ନ ମିଳିବାରୁ ବାହାରୁ କିଣି ଏହାକୁ ସମସ୍ତେ ନେଇଥିଲେ । ତେବେ ଶୁକ୍ରବାର ସେମାନେ ପୁଣି ଡାକ୍ତରଖାନା ଯାଇଥିବାବେଳେ ୧୫ ଦିନ ପରେ ଏଚ୍‌ଆଇଭି ପରୀକ୍ଷା କରାଯିବ ବୋଲି ଡାକ୍ତର କହିଛନ୍ତି।

ଏ ନେଇ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଣବ ପ୍ରକାଶ ପୁର୍ଣ୍ଣେ କହିଛନ୍ତି ଯେ, ସେଫ୍ଟିପିନ୍‌ ଫୋଡ଼ିବା ପରେ ହଠାତ୍‌ ସଂକ୍ରମଣ ନେଇ ଜଣାପଡି ନଥାଏ । କିଛି ଦିନ ପରେ ପରୀକ୍ଷା କରିଲେ ଜଣାପଡେ । ଏନେଇ ବ୍ରହ୍ମଗିରି ଥାନା ଆଇଆଇସି ମନୋଜ ଶତପଥୀ କହିଛନ୍ତି ଯେ, ଖବର ପାଇବା ପରେ ମୁଁ ସେହି ଅଞ୍ଚଳର ସରପଞ୍ଚଙ୍କ ସହ କଥା ହୋଇଥିଲି । ଜଣେ ଯୁବକ ଥଟ୍ଟାମଜାରେ ପିନ୍‌ ଫୋଡି ଏଭଳି କରିଥିବା ସେ କହିଛନ୍ତି । ଏ ନେଇ ଏସ୍‌ପି ଅଖିଳେଶ୍ୱର ସିଂହ କହିଛନ୍ତି ଯେ, ହେଇପାରେ କେହି ବଦ୍‌ମାସ୍‌ ଏଭଳି କାଣ୍ଡ କରିଥାଇପାରେ । ଅନୁସନ୍ଧାନ କଲେ ଜଣାପଡିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏଚଆଇଭି ସଂକ୍ରମିତ ନାବାଳକର ବାପା ସୁରଟରୁ ସଂକ୍ରମିତ ହୋଇ ଫେରିଥିଲେ । ନାବାଳକ ଜନ୍ମ ହେବା ପରେ ବାପା ଓ ମା’ଙ୍କ ମୃତ୍ୟୁ ହୋଇଥିଲା । ସେବେଠାରୁ ନାବାଳକଟି ତା’ ମାଉସୀ ଘରେ ରହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.