ଖିନଭିନ୍ କରିଦେଉଛି କରୋନା: ୬ ଦିନରେ ୩ ଭାଇଙ୍କ ମୃତ୍ୟୁ, ୧୩ ବର୍ଷର ଝିଅକୁ ଛାଡି ଚାଲିଗଲେ ବାପା-ମାଆ

Published By : Prameya-News7 Bureau | July 21, 2020 IST

ପୁଣେ, ୨୧|୦୭:   ମାରାତ୍ମକ କରୋନା ଭାଇରସ କେବଳ ଆର୍ଥିକ ମେରୁଦଣ୍ଡ ଭାଙ୍ଗିନି ବରଂ ଆତ୍ମୀୟଙ୍କୁ ଛଡାଇ ନେଇଛି ମଧ୍ୟ । କିଏ ବାପାକୁ ହରାଇଛି ତ ଆଉ କିଏ ମାଆକୁ । ପୁଣି କେତେବେଳେ ସଧବା ନାରୀ ବିଧବା ହୋଇଛି । ଏପରି କିଛି ଘଟଣା ଘଟିଛି ପୁଣେର ପିମ୍ପରି ଓ ଚିଞ୍ଚଓ୍ୱାଡରେ । ଏଠାରେ ଏକ ପରିବାର ୩ ଜଣ ପୁତ୍ରକୁ ହରାଇଥିବା ବେଳେ ଜଣେ ୧୩ ବର୍ଷର ଝିଅକୁ ଏକାକରି ଜୀବନ ହାରିଛନ୍ତି ବାପା ଓ ମାଆ ।  ପିମ୍ପରି ଚିଞ୍ଚଓ୍ୱାଡରେ କରୋନା ଏବେସୁଦ୍ଧା ୧୦ ହଜାର ଜଣଙ୍କୁ ସଂକ୍ରମିତ କରିଥିବା ବେଳେ ୨୨୦ ମୁଣ୍ଡ ନେଲାଣି ।

ସୂଚନାନୁସାରେ, ଗୋଟିଏ ପରିବାରର ୩ ପୁତ୍ର ଗତ ୮ ତାରିଖରେ କରୋନା ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ଥିଲା ।  ସାନଭାଇ ପକ୍ଷାଘାତରେ ପୀଡିତ ଥିବା ବେଳେ ବଡ ୨ ଭାଇ ଆଙ୍ଗିଓପ୍ଲାଷ୍ଟିରେ ପୀଡିତ ଥିଲେ । ଏପରିକି ସେମାନଙ୍କର ମଧୁମେହ ମଧ୍ୟ ଥିଲା । ସେମାନେ ସାଙ୍ଗ ଭଳି ଥିଲେ । ପ୍ରଥମେ ସେମାନେ ଖରାଲଓ୍ୱାଡିରେ ରହୁଥିବା ବେଳେ ପରେ ପିମ୍ପରିରେ ରହୁଥିଲେ । ଏପରିକି ନିଜେ ଘର ମଧ୍ୟ ତିଆରି କରିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ପୁତ୍ର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେମାନେ ମଧ୍ୟ ସଂକ୍ରମିତ ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ଜୁଲାଇ ୧୨, ଜୁଲାଇ ୧୩ ଓ ୧୮ ତାରିଖରେ ୩ ଭାଇ ପ୍ରାଣ ହରାଇଥିଲେ ।

ସେହିପରି ଆଉ ଏକ ଘଟଣାକ୍ରମେ ଆଉ ଏକ ପରିବାରରେ ସ୍ୱାମୀ ଓ ସ୍ତ୍ରୀ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ୧୪ ଦିନ ମଧ୍ୟରେ ଉଭୟ ଜୀବନ ହାରିଛନ୍ତି । ସେମାନଙ୍କୁ ଓ୍ୱାଇସିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ତ୍ରୀ ପ୍ରଥମେ ପ୍ରାଣ ହରାଇଥିଲେ । ତେବେ ସ୍ୱାମୀ ହସ୍ପିଟାଲରୁ ଫେରିବା ପରେ ପ୍ରାଣ ହରାଇଥିଲେ । କାରଣ ସେ ହୋମ୍ ଆଇସୋଲେସନରେ ରହିବେ ବୋଲି କହିବା ସହ ତାଙ୍କଠାରେ କୌଣସି ଲକ୍ଷଣ ମଧ୍ୟ ନଥିଲା ।

ସେମାନଙ୍କର ଜଣେ ସମ୍ପର୍କୀୟ କହିଛନ୍ତି ଯେ, ଗତ ୬ ତାରିଖରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ମହିଳା ପ୍ରାଣ ହରାଇଥିଲେ । ଏହାପରେ ସ୍ୱାମୀଜଣଙ୍କ କରୋନା ଟେଷ୍ଚ କରିଥିଲେ । ଯାହା ପଜିଟିଭ୍ ଆସିଥିଲା । ଏହାପରେ ସେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ତେବେ ତାଙ୍କର ୧୩ ବର୍ଷର ଝିଅର ରିପୋର୍ଟ ନେଗେଟିଭ୍ ଆସିଛି । ବାପା ଓ ମାଆ ପ୍ରାଣ ହରାଇବା ପରେ ଝିଅଟି ଏକା ହୋଇଯାଇଛି । ସାହା ହେବାକୁ ଆଉ କେହି ନାହାଁନ୍ତି । ଝିଅଟି ଏବେ ଜଣେ ଦୂର ସମ୍ପର୍କୀୟଙ୍କ ଘରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.