ସବୁ କଷ୍ଟ ଓ ତ୍ୟାଗର ମିଳିଲା ମୂଲ୍ୟ, ପୁଅ ହେଲା ବୈଜ୍ଞାନିକ : ସ୍ବପ୍ନ, ନିଷ୍ଠା ଓ ସଂଘର୍ଷର ଏକ ସଫଳ ଉଦାହରଣ

Published By : Prameya-News7 Bureau | June 21, 2020 IST

ନୀଳଗିରି ୨୧।୬: କଥାରେ ଅଛି ଇଚ୍ଛାଶକ୍ତି ଥିଲେ ସଫଳତା ଆପେ ଆପେ ଆସେ । ଆଉ ଏହି ସଫଳତା ପଛରେ ବାପା-ମା’ଙ୍କ ଆଶୀର୍ବାଦ ରହିଥାଏ । ଆଉ ଏଭଳି ଜଣେ ବାପା ଅଛନ୍ତି ଯିଏ ସଂଘର୍ଷ କରି ନିଜ ପୁଅକୁ ଆଜି କ୍ୟାନସର ବିଭାଗର ଜଣେ ସଫଳ ବୈଜ୍ଞାନିକ ହେବାକୁ ଯାଉଛନ୍ତି । ଆଉ ସେ ଆଶା ରଖିଛନ୍ତି ତାଙ୍କ ପୁଅ କ୍ୟାନସର ମେଡ଼ିସିନ ଉଦ୍ଭାବନ କରିବାରେ ସଫଳ ହେବେ । ଆଉ ସେହିଦିନ ସେ ନିଜକୁ ଗର୍ବ ଅନୁଭବ କରିବେ ସେ ଜଣେ ସଫଳ ପୁଅର ସଫଳ ବାପା ।

ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଅଧିନ ୬ ନମ୍ବର ୱାର୍ଡ ପୋଷ୍ଟଅଫିସ ନିକଟରେ ରହୁଛନ୍ତି ବ୍ରଜବିହାରୀ ଦାସଙ୍କ ପରିବାର। ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଂଚଳର କଳ୍ପିତାଙ୍କୁ ବିବାହ କରିଥିଲେ ବ୍ରଜବିହାରୀ । ଉଭୟଙ୍କର ଚୟନକାନ୍ତ ଦାସ ଓ ଚନ୍ଦନକାନ୍ତ ଦାସ ନାମକ ଦୁଇ ପୁଅ ଅଛନ୍ତି । ପିଲାମାନଙ୍କୁ ପାଠ ପଢ଼ାଇ ବୈଜ୍ଞାନିକ କରିବା ତାଙ୍କର ସ୍ବପ୍ନ ଥିଲା ।

ବ୍ରଜବିହାରୀ ଯୁବାବସ୍ତାରେ ୧୯୭୮ ମସିହାରେ ସୋର କଲେଜରେ ଗ୍ରାଜୁଏସନ ପରେ ଦୁଇବର୍ଷ ପିଅରଲେସ ସଂସ୍ଥାରେ କାର୍ଯ୍ୟକରିଥିଲେ । ୧୯୮୦ ମସିହାରେ ସେ ପତ୍ରବେପାର କରି ନିଜର ପରିବାର ପୋଷଣ କରୁଥିବାବେଳେ ଖାଉଟି ଭଣ୍ଡାରରେ ମାତ୍ର ୧୮୦ ଟଙ୍କା ଦରମାରେ ଚାକିରୀ ଆରମ୍ଭ କରିଥିଲେ । ଦୀର୍ଘ ୧୭ ବର୍ଷ ସେହି ସଂସ୍ଥାରେ ଚାକିରୀ କରିବା ପରେ ତାଙ୍କୁ ୧୯୯୭ ମସିହାରେ ସମବାୟ ବିଭାଗ  ଆଇସିଏସରେ ଚାକିରୀ ମିଳିଲା । ୪ ହଜାର ଟଙ୍କା ଦରମା ପାଇବାପରେ ମଧ୍ୟ ପିଲାଙ୍କୁ ବୈଜ୍ଞାନିକ କରିବାର ନିଶା ଘାରିଥିଲା । ଏପରିକି ପିଲାମାନଙ୍କ ପାଠପଢା ପାଇଁ ସେ ଟିଉସନ କରିବାକୁ ପଛାଇନଥିଲେ ।

{"id":289296,"sizeSlug":"large"}

ବଡପୁଅ ଚୟନକାନ୍ତ ଦାସ ଆଜି ଜଣେ ଫାର୍ମାସିଷ୍ଟ ହୋଇଥିବା ବେଳେ ସାନପୁଅ ଚନ୍ଦନ କାନ୍ତ ଜଣେ ସଫଳ ବୈଜ୍ଞାନିକ ହେବାକୁ ଯାଉଛନ୍ତି । ସେ ଆଇଆଇଟି ଖଡ଼କପୁର ଓ ୟୁନିଭରସିଟି ଅଫ ଫ୍ରାଙ୍କଫର୍ଡରେ ପିଏଚଡି ଲାଭ କରିବା ପରେ ବାପା ଦେଖିଥିବା ସ୍ଵପ୍ନକୁ ପୂରଣ ପାଇଁ  ଦିନରାତି ଏକ କରିଦେଇଥିଲେ । ୟୁରୋପର ଜର୍ମାନୀ, ଇଟାଲୀ, ଫ୍ରାନ୍ସ, ସୁଇଜରଲାଣ୍ଡ, ବେଲିଜିୟମ, ନେଦରଲାଣ୍ଡ, ସ୍ପେନ, ଗ୍ରୀସ ଯାଇ ଆରମ୍ଭ କରିଥିଲେ କ୍ୟାନସର ଉପରେ ରିସର୍ଚ୍ଚ । ଏବେ ସେ ଆମେରିକାର ଫିଲାଡେଲଫିଆ ୟୁନଭରସିଟି ଅଫ ପେନସିଲଭେନିଆରେ କାର୍ଯ୍ୟରତ ଅଛନ୍ତି । ସେ କ୍ଲୋରୋକୁଇନ ଔଷଧ ଉପରେ ରିସର୍ଚ୍ଚ କରୁଥିବା ବେଳେ କରୋନା ସଂକ୍ରମଣ ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି । କ୍ୟାନସର ଭଳି ଭୟଙ୍କର ରୋଗର ଔଷଧ ବାହାର କରିବାକୁ ସେ ରିସର୍ଚ୍ଚ ଜାରିରଖିଥିବା ବେଳେ ବାପାଙ୍କର ସ୍ବପ୍ନ ପୂରଣ କରିବେ ବୋଲି କହିଛନ୍ତି ।

ସେପଟେ ସଂଘର୍ଷମୟ ଜୀବନରେ ଅର୍ଥ ରୋଜଗାର କରିଥିବା ବାପା ବ୍ରଜବିହାରୀ ତାଙ୍କ ପୁଅ ଦିନେ ନା ଦିନେ ଦେଶର ଜଣେ ସଫଳ ବୈଜ୍ଞାନିକ ହୋଇ ତାଙ୍କ ନାଁ ରଖିବ ବୋଲି ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.