ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଥିଲେ ଇତିହାସ କରିଥାନ୍ତେ ସଚିନ, କାହିଁକି ହେଲାନି, ୧୫ ବର୍ଷ ପରେ ଅମ୍ପାୟାର କହିଲେ ଦୋଷ କାହାର

Published By : Prameya-News7 Bureau | June 21, 2020 IST

ନୂଆଦିଲ୍ଲୀ, ୨୧|୦୬:  ବିଶ୍ୱର ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର ନିଜ କ୍ୟାରିଅରରେ ଅନେକ ରେକର୍ଡ ଭାଙ୍ଗିବା ସହ ନିଜ ନାମରେ ମଧ୍ୟ ଅନେକ ରେକର୍ଡ ନାମିତ କରିଛନ୍ତି । ଡିଆରଏସ ନଥିବା ବେଳେ ଅନେକ ଥର ନଟଆଉଟ୍ ହୋଇଥିବା ସତ୍ୱେ ତାଙ୍କୁ ଆଉଟ ଦିଆଯାଇଛି । ଫଳରେ ସେ ଏକାଧିକ ଥର ଶତକ ଓ ଅର୍ଧଶତକରୁ ବଞ୍ଚିତ ହୋଇଛନ୍ତି । ସଚିନ ଖେଳୁଥିବା ବେଳେ ଷ୍ଟିଭ୍ ବକନରଙ୍କୁ ଭଲ ଅମ୍ପାୟାର ଭାବେ ଗଣାଯାଉଥିଲା । କିନ୍ତୁ ସେ ନିଜ କ୍ୟାରିଅରରେ ସଚିନଙ୍କୁ ଦୁଇଥର ଭୁଲ କରି ଆଉଟ ଦେଇଛନ୍ତି । ଫଳରେ ସଚିନ ଏକ ଐତିହାସିକ ରେକର୍ଡ ରଚିବାରୁ ବଞ୍ଚିତ ହୋଇଛନ୍ତି ।

ବକନର୍ କହିଛନ୍ତି ଯେ, ସଚିନଙ୍କୁ ସେ ଦୁଇଥର ଏପରି ଭାବେ ଆଉଟ ଦେଇଛନ୍ତି ଯେତେବେଳେ କି ସେ ନଟଆଉଟ୍ ଥିଲେ । କେହି ଅମ୍ପାୟାର ଏପରି ଜାଣିଶୁଣି କରନ୍ତି ନାହିଁ । ଫଳରେ ଭବିଷ୍ୟତ ବିପଦରେ ପଡିଥାଏ । ସେ ପ୍ରଥମ ଥର ଅଷ୍ଟ୍ରେଲିଆରେ ଓ ଦ୍ୱିତୀୟ ଥର ଭାରତରେ ଭୁଲ ନିଷ୍ପତ୍ତି ନେଇଥିଲେ । ସେ ୨୦୦୩ରେ ସଚିନଙ୍କୁ ଥରେ ଏଲବିଡବ୍ଲୁ ଆଉଟ ଦେଇଥିଲେ । କିନ୍ତୁ ବଲ୍ ଓ୍ୱିକେଟ୍ ଉପରେ ଯାଉଥିଲା । ସେହିପରି ଇଡେନଗାର୍ଡେନରେ ମଧ୍ୟ ବଲ୍ ବ୍ୟାଟରେ ଲାଗି ନଥିଲା କିନ୍ତୁ ସଚିନଙ୍କୁ ସେ ଆଉଟ ଦେଇଥିଲେ । ଇଡେନ୍ ଗାର୍ଡେନରେ ଲକ୍ଷାଧିକ ଲୋକ ପାଟି କରୁଥିଲେ କିନ୍ତୁ ଠିକସେ କିଛି ଶୁଣାଯାଉ ନଥିଲା । ସେହି ଭୁଲ ପାଇଁ ସେ ଆଜି ମଧ୍ୟ ଅନୁତପ୍ତ ବୋଲି କହିଛନ୍ତି ।

ପାକିସ୍ତାନ ବିପକ୍ଷ ଇଡେନ୍ ଗାର୍ଡେନରେ ସେହି ମ୍ୟାଚରେ ସଚିନ ଅର୍ଧଶତକ ଲଗାଇଥିଲେ । ସେ ୫୪ ରନ୍ କରି ଖେଳୁଥିଲେ । ତେବେ ଅବ୍ଦୁଲ ରାଜାଙ୍କ ବଲରେ ତାଙ୍କୁ ଆଉଟ ଦିଆଯାଇଥିଲା । ସେହି ମ୍ୟାଚରେ ଶତକ ଲଗାଇ ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିପାରିଥାନ୍ତେ । କିନ୍ତୁ ଏପରି ହୋଇପାରି ନଥିଲା । ତେବେ ସଚିନ ଜଣେ ମହାନ ବ୍ୟାଟସମ୍ୟାନ ବୋଲି ବକନର୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.