‘ଖେଳରେ ବ୍ୟାକଗ୍ରାଉଣ୍ଡରୁ ନୁହେଁ, ମଇଦାନରେ ପ୍ରଦର୍ଶନକୁ ନେଇ ମିଳିଥାଏ ପରିଚୟ’-ସଚିନ ତେନ୍ଦୁଲକର
23/02/2021 at 4:22 PM

ମୁମ୍ବାଇ ୨୩/୦୨ : ସଚିନ ତେନ୍ଦୁଲକର କହିଛନ୍ତି ଖେଳରେ କୌଣସି ଖେଳାଳିଙ୍କୁ ତାଙ୍କ ବ୍ୟାକଗ୍ରାଉଣ୍ଡରୁ ନୁହେଁ ବରଂ ମଇଦାନରେ ପ୍ରଦର୍ଶନ ଦମରେ ପରିଚୟ ମିଳିଥାଏ। ଅନଲାଇନ ଶିକ୍ଷା ପ୍ଲାଟଫର୍ମ ଅନଏକାଡେମୀର ବ୍ରାଣ୍ଡ ଆମ୍ବାସେଡର ହେବାପରେ ଏକ ଭର୍ଚୁଆଲ କଥାବାର୍ତ୍ତା ମାଧ୍ୟମରେ କହିଛନ୍ତି। ତେନ୍ଦୁଲକର କହିଛନ୍ତି, ଯେତେବେଳେ ଜଣେ ଖେଳାଳି ଡ୍ରେସିଂ ରୁମକୁ ଏଣ୍ଟ୍ରି କରେ ସେତେବେଳେ ସେ କେଉଁଠୁ ଆସିଛି, ଦେଶର କେଉଁ ସ୍ଥାନରୁ ଆସିଛି, କାହା ସହ ଆପଣଙ୍କର କଣ ସମ୍ପର୍କ ଅଛି ସେସବୁ କିଛି ମହତ୍ତ୍ୱ ରଖେନାହିଁ। ଖେଳ ମଇଦାନରେ ସ୍ଥିତି ସମସ୍ତଙ୍କ ପାଇଁ ଏକ ସମାନ। ମଇଦାନରେ ପ୍ରଦର୍ଶନ ଠାରୁ ଆଉ କିଛିର କିଛି ମୂଲ୍ୟ ନାହିଁ।
ସଚିନ କହିଛନ୍ତି ଖେଳ ଲୋକଙ୍କୁ ଏକଜୁଟ କରିଥାଏ। ମଇଦାନରେ ଟିମ ଜଣେ ବ୍ୟକ୍ତି ଭଳି। ସେ କହିଛନ୍ତି, ବିଭିନ୍ନ ସ୍କୁଲ ଓ ବୋର୍ଡର ଅଂଶ ହୋଇଥିବାରୁ ସେ ଅନେକ କୋଚଙ୍କୁ ସାକ୍ଷାତ କରନ୍ତି। ସେ ନିଜେ ବି ବହୁତ କିଛି ଶିକ୍ଷା କରନ୍ତି। ଏହି ଅନୁଭୂତି ସେ ସମସ୍ତଙ୍କ ସହ ସେୟାର କରିବାକୁ ଚାହୁଁଛନ୍ତି ବୋଲି ସଚିନ କହିଛନ୍ତି।
ନିଜ ଲକ୍ଷ୍ୟ ହାସଲ କରିବାକୁ ଅଧିକ ପରିଶ୍ରମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନିଜ ସ୍ବପ୍ନକୁ ପିଛା କଲେ ସେ ଦିନେ ନା ଦିନେ ନିଶ୍ଚୟ ପୁରା ହୁଏ ବୋଲି ସେ କହିଛନ୍ତି। କୌଣସି ବି ପରିସ୍ଥିତିରେ ଭାଙ୍ଗି ନ ପଡି ଅତିରିକ୍ତ ଚେଷ୍ଟା କରିବା ଉଚିତ। ଯାହାଫଳରେ ଆପଣ ଦିନେ ନା ଦିନେ ନିଜ ଲକ୍ଷ୍ୟ ନିଶ୍ଚୟ ହାସଲ କରିବେ ବୋଲି ସଚିନ କହିଛନ୍ତି।
ସଚିନ ତେନ୍ଦୁଲକର ଅନଲାଇନ ଶିକ୍ଷା ପ୍ଲାଟଫର୍ମ ଅନଏକାଡେମୀ ସହ ଏକ ଚୁକ୍ତି କରିଛନ୍ତି। ସେ ଏହି ପ୍ଲାଟଫର୍ମରେ ମାଗଣାରେ କୋଚିଂ ଦେବେ। ସେ ଏହି ପ୍ଲାଟଫର୍ମରେ ଲାଇଭ କୋଚିଂ କ୍ଲାସରେ ସାମିଲ ହେବେ।
ସଚିନ ୨୦୧୩ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ। ସେ ନିଜ କ୍ୟାରିଅରରେ ୨୦୦ ଟେଷ୍ଟ ମ୍ୟାଚ, ୪୬୩ ଏକ ଦିବସୀୟ ଓ ଗୋଟିଏ ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ୧୦୦ ଶତକ କରିଛନ୍ତି। ଟେଷ୍ଟରେ ୫୧ ଶତକ ଓ ଏକ ଦିବସୀୟ ମ୍ୟାଚରେ ୪୯ ଶତକ କରିଛନ୍ତି।