ଡେବ୍ୟୁ ଟେଷ୍ଟରେ ଚମକିଲେ ଶୁଭମନ ଓ ସିରାଜ୍, ଏମିତି ପ୍ରଶଂସା କଲେ ମାଷ୍ଟର ବ୍ଲାଷ୍ଟର
30/12/2020 at 10:18 PM

ନୂଆଦିଲ୍ଲୀ ୩୦/୧୨: ଅଷ୍ଟ୍ରେଲିଆ ବିପକ୍ଷରେ ମେଲବର୍ଣ୍ଣ ଟେଷ୍ଟ ମ୍ୟାଚ୍ରେ ୮ ଓ୍ବିକେଟ ବିନିମୟରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି । ଏହା ସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ୧-୧ରେ ବରାବର କରିଛି ଭାରତୀୟ ଟିମ୍ । ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟିକତ୍ବରେ ଟିମ୍ ଇଣ୍ଡିଆର ଏହି ଖାସ ବିଜୟ ପାଇଁ ବିଶିଷ୍ଟ ଖେଳାଳି ପ୍ରଶଂସା କରିଛନ୍ତି। ଶୁଭେଚ୍ଛା ଜଣାଇଥିବା କ୍ରିକେଟରଙ୍କ ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁ ମଧ୍ୟ ସାମିଲ ରହିଛି।
ଅନ୍ତର୍ଜାତୀୟ ଟେଷ୍ଟରେ ଡେବ୍ୟୁ କରବା ସହ ୪୫ ଓ ୪୩ ରନ୍ର ପାଳି ଖେଳିଥିବା ଶୁଭମନ ଗିଲ ଓ ୫ ଓ୍ବିକେଟ ଅକ୍ତିଆର କରିଥିବା ମହମ୍ମଦ ସିରାଜଙ୍କୁ ପ୍ରଶଂସା କରିଛନ୍ତି ତେନ୍ଦୁଲକର। ଗିଲଙ୍କୁ ନେଇ ତେନ୍ଦୁଲକର କହିଛନ୍ତି, ଆତ୍ମବିଶ୍ବାସ ସହ ମ୍ୟାଚ୍ ଖେଳିବା ସହ ସେ ଅଷ୍ଟ୍ରେଲିଆ ବୋଲରଙ୍କ ବଲର ସାମ୍ନା କରିବା ସହ ଭଲ ସଟ୍ ଖେଳିଛନ୍ତି। ଟପ୍ ଅର୍ଡରରେ ୪୫ ଓ ୩୫ ରନ୍ର ପାଳି ଖେଳିବା ନିଶ୍ଚିତ ଭାବେ ଭଲ ଆରମ୍ଭ। ସିରାଜଙ୍କୁ ନେଇ ସଚିନ କହିଛନ୍ତି ତାଙ୍କ ବୋଲିଂକୁ ଭୁଲିଯିବା ଉଚିତ ନୁହେଁ। ଏମିତି ଜମା ଲାଗିଲାନି ଯେ ସେ ପ୍ରଥମ ଟେଷ୍ଟ ଖେଳୁଛନ୍ତି। ପ୍ରଥମ ଓଭର ପରେ ସେ ଯେମିତି ନିଜ ବୋଲିଂରେ ସୁଧାର ଆଣିଲେ ଜମା ଲାଗିଲାନି ସିରାଜ ପ୍ରଥମ ଟେଷ୍ଟ ଖେଳୁଛନ୍ତି।
ଏହା ସହ ଜାଡେଜା ଭଲ ବ୍ୟାଟିଂ କରିଛନ୍ତି ବୋଲି ସଚିନ କହିଛନ୍ତି। କେବଳ ୫ ବୋଲର ନୁହଁନ୍ତି ବରଂ ଷଷ୍ଠ ନମ୍ବରରେ ଥିବା ଋଷଭ ପନ୍ତ, ସପ୍ତମରେ ଜାଡେଜା ଓ ୪ ଶତକ ସହିତ ୮ମ ନମ୍ବରରେ ଅଶ୍ବିନ୍ ମଧ୍ୟ ଜିତିବା ପାଇଁ ସହାୟତା କରିଛନ୍ତି। ଜାଡେଜା ଓ ରାହାଣେଙ୍କ ମଧ୍ୟ ବୁଝାମଣା ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ମଧ୍ୟ ସଚିନ ତେନ୍ଦୁଲକର କହିଛନ୍ତି।