ମେଲବର୍ଣ୍ଣ ଟେଷ୍ଟରେ ଖରାପ ଅମ୍ପାୟାରିଂକୁ ନେଇ ପ୍ରଶ୍ନ ଉଠାଇଲେ ସଚିନ ତେନ୍ଦୁଲକର, ICCକୁ ଦେଲେ ଏପରି ମତ
28/12/2020 at 2:55 PM

ମେଲବର୍ଣ୍ଣ ୨୮/୧୨ : ଭାରତର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ଇଣ୍ଟରନେସନାଲ କ୍ରିକେଟ୍ କାଉନସିଲ (ICC)ର ନିୟମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ICCର ଡିସିସନ୍ ରିଭ୍ୟୁ ସିଷ୍ଟମ୍ (DRS)ରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତେନ୍ଦୁଲକର । ସମ୍ବେଦନଶୀଳ ସ୍ଥିତିରେ ଟିଭି ଅମ୍ପାୟାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ତେଣୁ ଟିଭି ଅମ୍ପାୟାର କିଛି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ତର୍ଜମା କରିବା ଉଚିତ ବୋଲି ସେ କହିଛନ୍ତି ।

ତେନ୍ଦୁଲକର ଟ୍ବିଟ୍ କରି କହିଛନ୍ତି ଯେ, ‘ଖେଳାଳୀମାନେ ପଡିଆ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ରିଭ୍ୟୁ ନିଅନ୍ତି । ତେଣୁ କରି ଆଇସିସିକୁ DRS ସିଷ୍ଟମକୁ ପୁର୍ନବାର ଦେଖିବା ଜରୁରୀ, ଖାସ କରି ଟିଭି ଅମ୍ପାୟାର ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଯାଞ୍ଚ କରିବା ଜରୁରୀ’ ।
ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ଅମ୍ପାୟାର କଲ ୨ ଥର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ଜୀବନଦାନ ଦେଇଥିଲା । ଦ୍ବିତୀୟ ଇଂନିସର ତୃତୀୟ ଓଭରରେ ଜଶପ୍ରୀତ୍ ବୁମରାହ ଜୋ ବନ୍ସ୍ଙ୍କୁ ଏଲବିଡବ୍ଲ୍ୟୁ ଅପିଲ କରିଥିଲେ । ତେବେ ଅମ୍ପାୟାର ବ୍ରୁସ୍ ଆକ୍ସନଫୋର୍ଡ ଏହାକୁ ନଟ୍ଆଉଟ୍ ଘୋଷଣା କରିଥିଲେ । ଏହାକୁ ଚ୍ୟାଲେଞ୍ଜ୍ କରି ଭାରତ ରିଭ୍ୟୁ ନେଇଥିଲା । ଅମ୍ପାୟାରର୍ସ କଲ୍ ବଳରେ ଏହାକୁ ନଟ୍ଆଉଟ୍ ଘୋଷଣା କରାଯାଇଥିଲା ।

ଏହା ପରେ ମାର୍ଗସ ଲାବୁସେନ୍ ମଧ୍ୟ ମହମ୍ମଦ ସିରାଜଙ୍କ ବଲରେ ଆଉଟ ହେବାରୁ ରକ୍ଷା ପାଇଯାଇଥିଲେ । ଏଥିରେ ମଧ୍ୟ ପଡିଆ ଅମ୍ପାୟାର ନଟଆଉଟ୍ ଘୋଷଣା କରିଥିଲେ । ପୁନଶ୍ଚ ଭାରତ ରିଭ୍ୟୁ ନେଇଥିଲା । ଏଥିରେ ମଧ୍ୟ ଅମ୍ପାୟାରଙ୍କ କ୍ଲୋଜ୍ କଲ କାରଣରୁ ନଟଆଉଟ୍ ଘୋଷଣା କରାଯାଇଥିଲା ।