ସଚିନଙ୍କ ମହତପଣିଆ, ୧୦୦ ଶିଶୁଙ୍କ ଦେଲେ ନୂଆ ଜୀବନ

Published By : Prameya-News7 Bureau | December 01, 2020 IST

ମୁମ୍ବାଇ,୦୧/୧୨: କ୍ରିକେଟର ଭଗବାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ଉଦାହରଣ ପାଲଟିଛନ୍ତି । ତାଙ୍କର ଏକ ବଦାନ୍ୟତା ସାମ୍ନାକୁ ଆସିଛି । ସେ କରୋନା ମହାମାରୀ ସମୟରେ ୬ଟି ରାଜ୍ୟର ୧୦୦ଜଣ ଗୁରୁତର ଅସୁସ୍ଥ ଶିଶୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ କରିଥିବା ଜଣାପଡ଼ିଛି । ଅସୁସ୍ଥ ଶିଶୁମାନେ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ, ତାମିଲନାଡ଼ୁର ବୋଲି ସୂଚନା ମିଳିଛି ।

ସଚିନ ‘ଏକମ’ ଚ୍ୟାରିଟି ଫାଉଣ୍ଡେସନ୍‌ ନାମକ ଏକ ସଂସ୍ଥା ସହ ବହୁତ ଦିନ ହେବ ଜଡ଼ିତ ରହିଛନ୍ତି । ଏହି ଫାଉଣ୍ଡେସନ୍‌ ବିଭିନ୍ନ ସରକାରୀ ଓ ଟ୍ରଷ୍ଟ ହସ୍ପିଟାଲ୍‌ରେ ଅସୁସ୍ଥ ଶିଶୁମାନଙ୍କ ଚିକିତ୍ସା କରାଇବାରେ ସହାୟତା କରେ। ଏକମ ଫାଉଣ୍ଡେସନ୍‌ର ମ୍ୟାନେଜିଂ ପାର୍ଟନର ଅମିତା ଚାଟାର୍ଜୀ କହିଛନ୍ତି ଯେ, ସଚିନଙ୍କ ସହ ଫାଉଣ୍ଡେସନ୍‌ର ସହଭାଗିତା ବେଶ ସଫଳ ହୋଇଛି । ସେ ଗୁରୁତର ଅସୁସ୍ଥ ଶିଶୁଙ୍କ ଚିକିତ୍ସା ପାଇଁ ସବୁବେଳେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଅନେକ ପରିବାର ଅର୍ଥ ଅଭାବରୁ ସେମାନଙ୍କର ଶିଶୁଙ୍କ ଚିକିତ୍ସା କରାଇପାରୁନାହାନ୍ତି । ସଚିନଙ୍କ ସହଯୋଗ ବଳରେ ଆମେ ସେମାନଙ୍କର ଚିକିତ୍ସା କରୁଛୁ ବୋଲି କହିଛନ୍ତି ଅମିତା ।

ସୂଚନାଯୋଗ୍ୟ, ସଚିନ କିଛିଦିନ ତଳେ ଆସାମର କରିମଗଞ୍ଜ ଜିଲ୍ଲାସ୍ଥିତ ମୁକୁନ୍ଦ ହସ୍ପିଟାଲ୍‌ର ଶିଶୁ ବିଭାଗ ପାଇଁ ଆବଶ୍ୟକୀୟ ଚିକିତ୍ସା ଉପକରଣ ପଠାଇବାରେ ସହଯୋଗ କରିଥିଲେ । ଏହା ଦ୍ୱାରା ପାଖାପାଖି ୨,୦୦୦ ଶିଶୁଙ୍କୁ ସହାୟତା ମିଳିଥିଲା। ସେହିପରି ସେ ବିଶ୍ୱ ଶିଶୁ ଦିବସ ଅବସରରେ ୟୁନିସେଫ୍‌ ସହ ମିଶି ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାମିଲ ମଧ୍ୟ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.