Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଇଲଟ୍‌ଙ୍କ ସମର୍ଥକ ବିଧାୟକ ଆଜି ରାତି ଦେଇ ପାରନ୍ତି ଇସ୍ତଫା, ଟଳମଳ ଗେହଲଟଙ୍କ ଗାଦି !

12/07/2020 at 10:31 PM

ଜୟପୁର ୧୨।୦୭: ମଧ୍ୟ ପ୍ରଦେଶ ପରି ରାଜସ୍ଥାନରେ ରାଜନୀତି କଡ ଲେଉଟାଇବାକୁ ଯାଉଛି। ସୂତ୍ର ଅନୁଯାୟୀ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ସମର୍ଥକ ବିଧାୟକ ରବିବାର ବିଳମ୍ବିତ ରାତ୍ରି ସୁଦ୍ଧା ଇସ୍ତଫା ଦେଇ ପାରନ୍ତି। ରବିବାର ବିଳମ୍ବିତ ରାତିରେ ରାଜସ୍ଥାନର ବାଚସ୍ପତି ସିପି ଯୋଶୀଙ୍କୁ ଇସ୍ତଫା ପତ୍ର ଦେବେ ବୋଲି ବିଧାୟକମାନେ ମଧ୍ୟ କହିଛନ୍ତି।

ସୂତ୍ର ଅନୁଯାୟୀ, ସଚିନ ପାଇଲଟ୍‌ଙ୍କ ସମର୍ଥନରେ କଂଗ୍ରେସର ପ୍ରାୟ ୩୦ ବିଧାୟକ ଅଛନ୍ତି। ଏହା ବ୍ୟତୀତ କିଛି ନିର୍ଦ୍ଦଳୀୟ ବିଧାୟକ ମଧ୍ୟ ତାଙ୍କ ସମର୍ଥନରେ ଯାଇ ପାରନ୍ତି। ୩୦ ମଧ୍ୟରୁ ପ୍ରାୟ ୧୨ ରୁ ୧୫ ବିଧାୟକ ଆଜି ରାତିରେ ଇସ୍ତଫା ଦେଇ ପାରନ୍ତି।

ଡ୍ୟାମେଜ୍ କଣ୍ଟ୍ରୋଲରେ ଜୁଟିଲେ ମାକନ, ରଣଦୀପ

ଅନ୍ୟପଟେ  ବରିଷ୍ଠ କଂଗ୍ରେସ ନେତା ଅଜୟ ମାକନ, ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ଓ ରାଜସ୍ଥାନର କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ ଦିଲ୍ଲୀରୁ ଆସି ଜୟପୁରରେ ପହଞ୍ଚି ଯାଇଛନ୍ତି। ତିନି ନେତା ଡ୍ୟାମେଜ୍ କଣ୍ଟ୍ରୋଲରେ ଜୁଟି ଯାଇଛନ୍ତି। ତିନି ନେତା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହିତ ବୈଠକ କରୁଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ଅବିନାଶ ପାଣ୍ଡେ କହିଥିଲେ, ରାଜ୍ୟରେ କଂଗ୍ରେସ ସରକାର ପ୍ରତି କୌଣସି ବିପଦ ନାହିଁ। କିନ୍ତୁ ଏହା ମଧ୍ୟ କହିଥିଲେ ଯେ, ତାଙ୍କର ପାଇଲଟ୍‌ଙ୍କ ସହିତ ଯୋଗାଯୋଗ ହୋଇ ପାରୁନାହିଁ।

ସିନ୍ଧିଆଙ୍କୁ ଭେଟିଲେ ପାଇଲଟ୍

ଏହା ପୂର୍ବରୁ ଆଜି ସଚିନ ପାଇଲଟ୍ ରବିବାର ନିଜର ପୁରୁଣା ମିତ୍ର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ସୂତ୍ର ଅନୁଯାୟୀ, ରବିବାର ଦ୍ଵିପ୍ରହରରେ ଦୁଇ ନେତା ପ୍ରାୟ ୪୦ ମିନିଟ୍‌ ଧରି ଆଲୋଚନା କରିଥିଲେ। ଦିଲ୍ଲୀରେ ଦୁଇ ନେତାଙ୍କ ଭେଟ କଂଗ୍ରେସର ଚିନ୍ତାକୁ ବଢାଇଛି। ପାଇଲଟ୍ ନିଜର ସମର୍ଥକଙ୍କ ସହିତ ଦିଲ୍ଲୀରେ ଅଛନ୍ତି ଏବଂ କଂଗ୍ରେସ  ହାଇକମାଣ୍ଡଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ ଚଳାଇଛନ୍ତି।

ପିଟିଆଇ ଅନୁଯାୟୀ, ପାଇଲଟ୍‌ ରବିବାର ତାଙ୍କ ପାଖରେ ୩୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ, ରାଜସ୍ଥାନରେ ଅଶୋକ ଗେହଲଟଙ୍କ ସରକାର ବହୁମତ ହରାଇଛି। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ରାଜ୍ୟର ୧୩ ନିର୍ଦ୍ଦଳୀୟ  ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ଅନ୍ୟପଟେ ଗେହଲଟଙ୍କ ବିଧାୟକଙ୍କ ସହିତ ଘନ ଘନ ବୈଠକ ଜାରି ରହିଛି। ବିଧାୟକଙ୍କୁ ଏକଜୁଟ୍ କରିବା ପ୍ରୟାସ ଜାରି ରହିଛି।

   Related Posts