ସଚିନଙ୍କ ମାନ ଭାଙ୍ଗିବ: ରାହୁଲ ଓ ପ୍ରିୟଙ୍କାଙ୍କ ସହ ସାକ୍ଷାତ ଆଲୋଚନା ସକରାତ୍ମକ, ପାଇଲଟ୍‌ଙ୍କ ହେବ ଘର ବାହୁଡା !

Published By : Prameya-News7 Bureau | August 10, 2020 IST

ନୂଆଦିଲ୍ଲୀ ୧୦।୦୮: ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ରାଜସ୍ଥାନ କଂଗ୍ରେସରେ ଉପୁଜିଥିବା ରାଜନୈତିକ ସଙ୍କଟର ଠିକ୍ ମାସ ପରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପାର୍ଟିର ଶୀର୍ଷ ନେତୃତ୍ଵଙ୍କ ସହ ଯୋଗାଯୋଗ କରିଛନ୍ତି। ପାର୍ଟି ବିରୋଧରେ ବିଦ୍ରୋହ କରିଥିବା ସଚିନ ପାଇଲଟ୍ ସୋମବାର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି। ତିନି ନେତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ସକରାତ୍ମକ ରହିଥିବା କୁହାଯାଉଛି। ସଚିନ ପାଇଲଟଙ୍କୁ କଂଗ୍ରେସ ମନାଇବାରେ ସଫଳ ହୋଇଥିବା କୁହାଯାଉଛି।

ଉଲ୍ଲେଖନୀୟ ଅଗଷ୍ଟ ୧୪ରୁ ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି।  ବର୍ତ୍ତମାନ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ପରେ ଆଶା କରାଯାଉଛି ସଚିନ ପାଇଲଟ ନିଜର ଅସନ୍ତୋଷ ଭୁଲି ପାର୍ଟିକୁ ପୁନର୍ବାର ଫେରି ପାରନ୍ତି। ଏହା ପୂର୍ବରୁ ମଧ୍ୟ ଯେବେ ସଚିନ ପାଇଲଟ୍ ବିଦ୍ରୋହ କରିଥିଲେ, ସେହି ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ତାଙ୍କର ଅନେକ ଥର ଆଲୋଚନା ହୋଇଥିଲା।

ଅପରପକ୍ଷେ ପାଇଲଟ କ୍ରମାଗତ ପାର୍ଟିର ବରିଷ୍ଠ ନେତା ଅହମ୍ମଦ ପଟେଲ ଓ କେସି ବେଣୁଗୋପାଳଙ୍କ ସହ ଆଲୋଚନା କରୁଛନ୍ତି। ସଂପ୍ରତି ପାଇଲଟଙ୍କ ଆଭିମୁଖ୍ୟ ପୂର୍ବାପେକ୍ଷା ନରମ ପଡିଛି। କଂଗ୍ରେସ ନେତାଙ୍କ କହିବା କଥା ରାହୁଲ ଓ ପାଇଲଟ ଦୁଇ ନେତାଙ୍କ ମଧ୍ୟରେ ଯେଉଁଭଳି ସଂପର୍କ ରହିଛି, ଶୀଘ୍ର ସବୁ କିଛି ସ୍ଵାଭାବିକ ହୋଇପାରେ।

ପାଇଲଟଙ୍କ ଜଣେ ସହଯୋଗୀ ବିଧାୟକ କହିଛନ୍ତି ରବିବାର ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ବିଦ୍ରୋହୀଙ୍କୁ ଦଳକୁ ଫେରାଇ ଆଣିବା ନେଇ ମନା କରାଯାଇଛି। ଗେହଲଟଙ୍କ କାର୍ଯ୍ୟ କରିବାର ଶୈଳୀ  ହିଁ ପାଇଲଟଙ୍କୁ ବିଦ୍ରୋହ କରିବାକୁ ସୁଯୋଗ ଦେଇଛି।

କଂଗ୍ରେସର ନେତାଙ୍କ ଅନୁଯାୟୀ ରାଜସ୍ଥାନରେ ସରକାର ସଂପୂର୍ଣ୍ଣ ସୁରକ୍ଷିତ। କିଛି ବିଧାୟକ ଯେଉଁମାନେ ପାଇଲଟଙ୍କ ସମର୍ଥନରେ ଅଛନ୍ତି ସେମାନେ ମଧ୍ୟ ଚାହୁଁଛନ୍ତି ଯେ, ପାର୍ଟି ହାଇକମାଣ୍ଡଙ୍କ ସହ ଆଲୋଚନା ହେଉ। ଏହା ପୂର୍ବରୁ ରବିବାର କଂଗ୍ରେସର ବିଧାୟକ ଦଳ ବୈଠକ ହୋଇଥିଲା। ଏଥିରେ ଗେହଲଟ ଗୋଷ୍ଠୀର ବିଧାୟକମାନେ ସଚିନ ପାଇଲଟ୍‌ ଓ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏହି ସମୟରେ ପାର୍ଟି ପକ୍ଷରୁ ରାଜସ୍ଥାନର ପ୍ରଭାରୀ ଅବିନାଶ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.