ବିଜେପିକୁ ଯିବେ ନାହିଁ, ଏବେ ନୂତନ ପାର୍ଟି ଗଠନ ପ୍ରସ୍ତୁତିରେ ସଚିନ ପାଇଲଟ୍, ଲିଷ୍ଟରେ ଏହି ନେତାଙ୍କ ନାଁ

Published By : Prameya-News7 Bureau | July 17, 2020 IST

ନୂଆଦିଲ୍ଲୀ/ଜୟପୁର ୧୭।୦୭:  ରାଜସ୍ଥାନରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଜାରି ବିବାଦ ମଧ୍ୟରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ଏହି ସବୁ ମଧ୍ୟରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ୍‌ ନୂତନ ପାର୍ଟି ଗଠନ କରିବା ସମ୍ଭାବନା ବଢି ଯାଇଛି। ସଚିନ ପାଇଲଟଙ୍କ ପକ୍ଷରୁ ନିଜର ଏକ ଅଲଗା ମଞ୍ଚ ଗଠନ କରିବା ବିକଳ୍ପ ଉପରେ ଚର୍ଚ୍ଚା ହେବାରୁ  କଂଗ୍ରେସ ପକ୍ଷରୁ ତାଙ୍କ ପ୍ରତି ନରମ ଆଭିମୁଖ୍ୟ ଆପଣା ଯାଇଛି। ଅପରପକ୍ଷେ ରାଜ୍ୟର ରାଜନୀତି ସଂଗ୍ରାମ ଏବେ ନ୍ୟାୟାଳୟର କାଠଗଡାକୁ ଟାଣି ହୋଇ ଯାଇଛି। ଏହା ସହିତ ସଚିନ ପାଇଲଟ୍‌ ନିଜର ପାର୍ଟି ଗଠନ କରିବା ଚର୍ଚ୍ଚା ଜୋର ଧରିଛି।

କୁହାଯାଉଛି ଯେ, ସଚିନ ପାଇଲଟ୍‌ ନିଜର ଅଲଗା ପାର୍ଟି ଗଠନ ନେଇ ସମ୍ଭାବନା ଖୋଜୁଛନ୍ତି। ସୂତ୍ର ଅନୁଯାୟୀ ପାର୍ଟି ଗଠନ ଦୃଷ୍ଟିକୁ ରଖି ସେ ନିଜର ଏମିତି କିଛି ସହଯୋଗୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି, ଯେଉଁମାନେ କଂଗ୍ରେସଠୁ ଅଲଗା ହୋଇ ସାରିଛନ୍ତି କିମ୍ବା ଦଳରେ ଅଣଦେଖାର ଶିକାର ହୋଇ ଏକ ଘରିଆ ହୋଇ ରହିଛନ୍ତି। ଅପରପକ୍ଷେ ପି ଚିଦାମ୍ବରମଙ୍କ ପରି ବରିଷ୍ଠ ନେତା ପାର୍ଟିକୁ ଫେରି ଆସି ପ୍ରସଙ୍ଗ ଉପରେ ଆଲୋଚନା କରି ସମାଧାନ କରିବାକୁ ପାଇଲଟ୍‌ଙ୍କୁ ପରାମର୍ଶ ଦେଇଛନ୍ତି।

ରାହୁଲ ଗାନ୍ଧୀଙ୍କ ୟଙ୍ଗ ଟିମ୍‌କୁ ନେଇ ପାର୍ଟି ଗଢିବେ ସଚିନ ପାଇଲଟ୍‌

କଂଗ୍ରେସର ଯେଉଁ ଲୋକଙ୍କ ଚର୍ଚ୍ଚା ହେଉଛି ସେମାନଙ୍କ ମଧ୍ୟରେ ମୁମ୍ବାଇ କଂଗ୍ରେସର ପୂର୍ବତନ ସଭାପତି ସଞ୍ଜୟ ନିରୁପମଙ୍କଠୁ ନେଇ ପୂର୍ବତନ ସାଂସଦ ପ୍ରିୟା ଦତ୍ତ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମିଲିନ୍ଦ ଦେଓଡା ଓ ଜିତିନ ପ୍ରସାଦ। କୁହାଯାଉଛି ଯେ, ପାଇଲଟ୍ ହରିୟାଣାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କୁଲଦୀପ ବିସ୍ନୋଇଙ୍କ ସହ ଯୋଗାଯୋଗ କରୁଛନ୍ତି। ଏଥିରେ ହରିୟାଣାର ପୂର୍ବତନ ପ୍ରଦେଶ ସଭାପତି ଅଶୋକ ତନଓ୍ଵର ଓ କଂଗ୍ରେସର ମୁଖପାତ୍ର ସଞ୍ଜୟ ଝା ମଧ୍ୟ ଅଛନ୍ତି। ଏହି ଦୁଇ ନେତା ସଂପ୍ରତି କଂଗ୍ରେସରେ ଆଉ ନାହାନ୍ତି।

ଅଶୋକ ତନଓ୍ଵରଙ୍କୁ ପୂର୍ବରୁ କଂଗ୍ରେସରୁ ବହିଷ୍କାର କରାଯାଇଥିବା ବେଳେ ନିକଟରେ ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ଝାଙ୍କୁ ଦଳରୁ ବାହାର କରାଯାଇଛି। ରୋଚକ କଥା ଏହା ଯେ, ନୂତନ ପାର୍ଟି ଗଠନ ପ୍ରକ୍ରିୟାରେ ଯେଉଁ ସବୁ ନୂତନ ନାମ ସାମ୍ନାକୁ ଆସୁଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ରାହୁଲ ଗାନ୍ଧୀଙ୍କ ଟିମ୍‌ରେ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.