ସଚିନ ପାଇଲଟଙ୍କୁ ଦଳରୁ ବିଦା କରିନି କଂଗ୍ରେସ, ସେପଟେ କିନ୍ତୁ ସ୍ୱାଗତ ପାଇଁ ପ୍ରସ୍ତୁତ ବିଜେପି, ଗୁଜ୍ଜର ନେତା ଦଳ ବଦଳାଇଲେ ପଦ୍ମକୁ ଢଳିବ ୪୯ ଆସନ

Published By : Prameya-News7 Bureau | July 14, 2020 IST

ଜୟପୁର, ୧୪।୦୭:  ରାଜସ୍ଥାନ କଂଗ୍ରେସରେ କନ୍ଦଳ ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି । ଏହାମଧ୍ୟ ଦଳ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପ୍ରଦେଶ ଅଧ୍ୟକ୍ଷ ପଦରୁ ହଟାଇଛି । ଯାହାକୁ ନେଇ ରାଜନୀତି ସରଗରମ ରହିଛି । ତାଙ୍କୁ ବିଭିନ୍ନ ପଦରୁ ହଟାଇଥିଲେ ମଧ୍ୟ ଦଳରୁ ବାହାର କରିନି କଂଗ୍ରେସ । ଯାହାକୁ ନେଇ ଏବେବି ସଚିନ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସେହିପରି ବିଜେପି ଯାହା ଚାହୁଁଥିଲା ତାହା ହୋଇଛି । ସଚିନଙ୍କ ପାଇ ଦ୍ୱାର ଖୋଲାଥିବା ବିଜେପିର ବରିଷ୍ଠ ନେତାମାନେ କହିଛନ୍ତି ।

ଏବେ ସଚିନ ପାଇଲଟ୍ କଣ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର । ତେବେ ଦଳ ସଚିନଙ୍କୁ ଚାହୁଁଥିଲେ ମଧ୍ୟ ବିଭିନ୍ନ ପଦବୀରୁ ହଟାଇ ଦ୍ୱାର ବନ୍ଦ କରିଦେଇଥିବା ସଙ୍କେତ ଦେଇଛି । ସଚିନ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ରାସ୍ତାରେ ଯାଇ ବିଜେପି ଧରିବେ ନା ଆଉ ଏକ ନୂଆ ଦଲ ଗଠନ କରିବେ ତାହା ସ୍ପଷ୍ଟ ହୋଇନାହିଁ ।

ବିଜେପି ପାଇଲଟଙ୍କୁ ଟ୍ରମ୍ପ କାର୍ଡ ଭାବେ ବ୍ୟବହାର କରିବାକୁ ଚାହୁଁଛି । ଯଦି ପାଇଲଟ୍ ବିଜେପିରେ ସାମିଲ ହୁଅନ୍ତି ତେବେ ଅତି କମରେ ଗେରୁଆ ଦଳରୁ ୪୯ଟି ସିଟ୍‌ର ଫାଇଦା ମିଳିବ । ପାଇଲଟ୍ ବିଜେପିକୁ ଯିବେ ନାହିଁ ବୋଲି କହିଥିଲେ ମଧ୍ୟ ବିଜେପି କିନ୍ତୁ ଆଶା ଛାଡିନି । ପାଇଲଟଙ୍କ ପାଇଁ ଆଉ କିଛି ଖାସ୍ ବିକଳ୍ପ ନାହିଁ ।

ରାଜସ୍ଥାନର ଗୁଜ୍ଜର ଓ ମିଣାଙ୍କ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ରାଜ୍ୟ ଜନସଂଖ୍ୟାର ୯ ପ୍ରତିଶତ ଗୁଜ୍ଜର ଥିବା ବେଳେ ୭ରୁ ୮ ପ୍ରତିଶତ ହେଉଛନ୍ତି ମିଣା ସମୁଦାୟ । ଏହି ଦୁଇ ସମୁଦାୟକୁ ଦେଖିଲେ ପୂର୍ବ ରାଜସ୍ଥାନରେ ୪୯ଟି ଆସନରେ ସେମାନଙ୍କର ଦବଦବା ରହିଛି । ଏହି ଦୁଇ ସମୁଦାୟ ସଚିନଙ୍କ ସମର୍ଥକ । ସେ ନିଜେ ଗୁଜ୍ଜର ମଧ୍ୟ । ପୂର୍ବ ନିର୍ବାଚନରେ ଏଠାରେ ବିଜେପି ଚିତପଟାଙ୍ଗ ମାରିଥିଲା । ୪୯ରୁ ୪୨ଟି ଆସନ କଂଗ୍ରେସ ପାଇଥିଲା । ତେଣୁ ବିଜେପି ପାଇଁ ପାଇଲଟ୍ ଅତି ଗୁରୁତ୍ୱପୂର୍ଣ୍ଣ ।

କଂଗ୍ରେସ ଏବେସୁଦ୍ଧା ପାଇଲଟଙ୍କୁ ଦଳରୁ ବାହାର କରିନାହିଁ । ହୋଇପାରେ ପାଇଲଟ୍ ନିଜେ ଇସ୍ତଫା ଦିଅନ୍ତୁ ବୋଲି ଦଳ ଚାହୁଁଛି । କିନ୍ତୁ ପାଇଲଟ୍ ଏବେସୁଦ୍ଧା ନିଜର ଆଗାମୀ ପଦକ୍ଷେପ ବାବଦରେ କିଛି ସ୍ପଷ୍ଟ କରିନାହାଁନ୍ତି । ତାଙ୍କର ଆଗାମୀ ପଦକ୍ଷେପ ପରେ ହିଁ ସମସ୍ତ ଚିତ୍ର ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.