Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାନ୍ଧୀ ପରିବାରର ହସ୍ତକ୍ଷେପର ମାସେ ପରେ ମାନିଲେ ପାଇଲଟ୍, ମିଳିପାରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

11/08/2020 at 12:47 PM

ନୂଆଦିଲ୍ଲୀ ୧୧।୮: ଗାନ୍ଧୀ ପରିବାରର ହସ୍ତକ୍ଷେପ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ମାସେ ଧରି ଚାଲିଥିବା ବିବାଦର ସମାଧାନ ହୋଇଛି । ପାଇଲଟ ସୋମବାର ଅପରାହ୍ନରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସହ ନିଜର ଚିନ୍ତା ପ୍ରକାଶ କରିଛନ୍ତି । ସନ୍ଧ୍ୟାରେ କଂଗ୍ରେସ ହାଇକମାଣ୍ଡ ତାଙ୍କ ଅଭିଯୋଗ ଶୁଣିବାକୁ ଏକ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ଏଭଳି ବିଶ୍ବାସ କରାଯାଉଛି ଯେ, ଏଭଳି ଏକ ଚୁକ୍ତି ହୋଇଛି  ଯେ, ପାଇଲଟ୍ ଗ୍ରୁପ୍ ବିଧାୟକମାନେ ଗେହଲଟ୍ ସରକାରରେ ହସ୍ତକ୍ଷେପ କରିବେ ନାହିଁ ଏବଂ ଏହା ବଦଳରେ ବିଦ୍ରୋହୀମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଆଶ୍ବାସନା ଦିଆଯାଇଛି । ୨୦୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଗେହଲଟ୍ ଙ୍କର ୧୦୦ ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି ।

ସଚିନ ପାଇଲଟଙ୍କୁ ୧୪ ଜୁଲାଇରେ ରାଜସ୍ଥାନ କଂଗ୍ରେସ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ଏଥିସହ ପାଇଲଟ୍ ଙ୍କ ଦଳର ଦୁଇ ଜଣ ବିଧାୟକଙ୍କୁ ମଧ୍ୟ ସେମାନଙ୍କର ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ଅନୁଯାୟୀ ସୋନିଆ ଗାନ୍ଧୀଙ୍କ ସ୍ପଷ୍ଟ ବାର୍ତ୍ତା ହେଉଛି ‘ସଚିନ ପାଇଲଟଙ୍କୁ ଦଳ ଛାଡିବାକୁ ଦିଅନ୍ତୁ ନାହିଁ’। ଯେତେବେଳେ ଗେହଲଟ୍ ସର୍ବସାଧାରଣରେ ପାଇଲଟଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ୍ କରିଥିଲେ, ସେତେବେଳେ ତାଙ୍କୁ ଏପରି ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧୀ ପ୍ରଥମେ ପାଇଲଟଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ । ଏହା ପରେ ମଧ୍ୟ ପ୍ରିୟଙ୍କା ପାଇଲଟଙ୍କ ସହ ଯୋଗାଯୋଗରେ ଥିଲେ । ଅନେକ ଚେଷ୍ଟା ପରେ ରାହୁଲ ଗାନ୍ଧୀ ସଚିନ ପାଇଲଟଙ୍କୁ ଭେଟିଥିଲେ ଏବଂ ତାପରେ ତାଙ୍କୁ ବୁଝାଯାଇଥିଲା । ରାହୁଲ-ସଚିନଙ୍କ ବୈଠକରେ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଥିଲେ । ଏହାପରେ ସୋମବାର ସନ୍ଧ୍ୟାରେ ପ୍ରିୟଙ୍କା ଗାନ୍ଧୀ ଅହମ୍ମଦ ପାଇଲଟ୍, କେସି ଭେନୁଗୋପାଲଙ୍କ ସହ ପାଇଲଟ୍ ଦଳର ବିଧାୟକଙ୍କ ସହ ଭେଟି ସେମାନଙ୍କୁ ‘ଶୁଣାଣି’ ନିଶ୍ଚିତ ହେବ ବୋଲି ଅଶ୍ବାସନା ଦେଇଥିଲେ ।

କଂଗ୍ରେସ ଦଳର ସୂତ୍ର ଅନୁଯାୟୀ, ଆଗାମୀ ଦିନରେ ସଚିନ୍ ପାଇଲଟ୍ ଦଳର ବିଧାୟକମାନଙ୍କୁ ସରକାରରେ ଗୁରୁତ୍ବପୂର୍ଣ୍ଣ ପଦବୀ ଦିଆଯିବ ଏବଂ ସଂଗଠନରେ ନେତାମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯିବ। କଂଗ୍ରେସରେ ଜାତୀୟ ସ୍ତରରେ ପାଇଲଟଙ୍କୁ ଏକ ପ୍ରମୁଖ ପଦବୀ ଦିଆଯିବ । ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ୩ ନେତାଙ୍କର ଏକ କମିଟି ଗଠନ କରିବେ ଯାହା ସଚିନ ଏବଂ ବିଦ୍ରୋହୀ ବିଧାୟକଙ୍କ ଚିନ୍ତା ଏବଂ ଦାବିକୁ ଅନୁଧ୍ୟାନ କରିବ । ସଚିନ ପାଇଲଟ ଏବଂ ତାଙ୍କ ସାଥୀ ବିଧାୟକମାନଙ୍କୁ ଗେହଲଟ୍ ସରକାରରେ କାହିଁକି ଅଣଦେଖା କରାଯାଇଥିଲା, ତାହା କମିଟି ଅନୁଧ୍ୟାନ କରିବ।

   Related Posts