ଭୁଲି ଗଲେ ରାଜନୈତିକ ବାଦ ବିବାଦ ଓ ବିଦ୍ଵେଷ, ଗୋଟିଏ ମାସ ପରେ କୋଳାକୋଳି ହେଲେ ପାଇଲଟ୍ ଓ ଗେହଲଟ୍

Published By : Prameya-News7 Bureau | August 13, 2020 IST

ଜୟପୁର ୧୩।୦୮: ରାଜସ୍ଥାନ ସରକାରରେ ଉପ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଭାପତି ରହିଥିବା ସଚିନ ପାଇଲଟ ଗୋଟିଏ ମାସର ଟଣା ଓଟରା, ବାଦ ବିବାଦ, ମତାନ୍ତର ଓ ଆରୋପ ପ୍ରତ୍ୟାରୋପ ପରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳର ବୈଠକ ପୂର୍ବରୁ ପାଇଲଟ ଗେହଲଟଙ୍କୁ ସାକ୍ଷାତ କରିଛନ୍ତି। ରାଜସ୍ଥାନ ରାଜନୀତିରେ ଗୋଟିଏ ମାସର ଅସ୍ଥିରତା ପରେ ପାଇଲଟ ଓ ଗେହଲଟ ଗୋଷ୍ଠୀର ବିଧାୟକ ଏହି ବୈଠକରେ ଯୋଗ ଦେଇଛନ୍ତି।

ଏହି ବୈଠକ ଠିକ୍ ପୂର୍ବରୁ ଅଶୋକ ଗେହଲଟ ଟ୍ଵିଟ୍ କରି ରାଜ୍ୟରେ ଚାଲିଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ ଏକ ନୂତନ ଫର୍ମୁଲା ଦେଇଛନ୍ତି। ସେ ନିଜର ଏହି ଟ୍ଵିଟ୍‌ରେ ବିଧାୟକଙ୍କ ସନ୍ଦେଶ ଦେଇ ଲେଖିଛନ୍ତି ପାର୍ଟିର ସଂଘର୍ଷ ଏହା ଯେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଗଣତନ୍ତ୍ର ବଞ୍ଚାଇବାର ଅଛି। ଗତ ଏକ ମାସରେ ପାର୍ଟିରେ ଯେଉଁ ସବୁ ଭ୍ରାନ୍ତ ଧାରଣା ଥିଲା, ଆମେ ସେ ସବୁକୁ ଭୁଲି ଗଣତନ୍ତ୍ରର ହିତରେ ଦେଶ ଓ ରାଜ୍ୟକୁ ଦୃଷ୍ଟିରେ ରଖି ଏହାକୁ କ୍ଷମା କରିବା ଏବଂ ବିବାଦକୁ ଭୁଲି ଯିବାର ଆବଶ୍ୟକତା ରହିଛି।

ପାଇଲଟ୍ ଓ ଗେହଲଟଙ୍କ ଏହି ସାକ୍ଷାତର ଅବ୍ୟବେହିତ ପୂର୍ବରୁ ଅଶୋକ ଗେହଲଟଙ୍କ ସରକାରଙ୍କ ବିରୋଧରେ ଷଡଯନ୍ତ୍ରର ଅଭିଯୁକ୍ତ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ବିଶ୍ଵେନ୍ଦ୍ର ସିଂହ ଓ ବିଧାୟକ ଭଅଁରଲାଲ ଶର୍ମାଙ୍କ ନିଲମ୍ବନକୁ କଂଗ୍ରେସ ପ୍ରତ୍ୟାହାର କରିଛି। ପ୍ରଦେଶ କଂଗ୍ରେସର ପ୍ରଭାରୀ ଅବିନାଶ ପାଣ୍ଡେ ଏହାର ସୂଚନା ଦେଇ କହିଛନ୍ତି ବିଚାର ବିମର୍ଶ ପରେ ଏହି ନିର୍ଣ୍ଣୟ ନିଆଯାଇଛି।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ କଂଗ୍ରେସ ନେତା ସଚିନ ପାଇଲଟଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି। ମଙ୍ଗଳବାର ଜୟପୁର ଫେରିବା ପରେ ପାଇଲଟ କହିଥିଲେ ସେ ଦଳ ନିକଟରେ କୌଣସି ପଦ ଦାବି କରିନଥିଲେ। ଏହା ସହିତ ସେ ଆଶା ପ୍ରକାଶ କରିଛନ୍ତି ଯେ, ପାର୍ଟି ହାଇକମାଣ୍ଡ ଦ୍ଵାରା ଗଠିତ ତିନି ସଦସ୍ୟ ବିଶିଷ୍ଟ କମିଟି ଶୀଘ୍ର ନିଜର କାମ ଆରମ୍ଭ କରିବେ।

ପାଇଲଟ ଜୟପୁର ଫେରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ ଯଦି କୌଣସି ବିଧାୟକ ତାଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି ତେବେ ତାଙ୍କର ଏହି ଅସନ୍ତୋଷ  ଦୂର କରିବାକୁ ପ୍ରୟାସ କରାଯିବ ଏବଂ ଜଣେ ମୁଖ୍ୟମନ୍ତ୍ରୀ ଭାବେ ଏହା ତାଙ୍କର ଦାୟିତ୍ଵ। ଏହା ସହିତ ଗେହଲଟ କହିଛନ୍ତି ତାଙ୍କ ସରକାର ଭାଙ୍ଗିବା ପାଇଁ ବିଜେପି ରଖିଥିବା ଆଶା ପାଣିରେ ମିଳେଇ ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.