ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ

Published By : Prameya-News7 Bureau | January 21, 2022 IST

ବୋଲାଣ୍ଡ ପାର୍କ ୨୧/୦୧: ଟେଷ୍ଟ ପରେ ଏବେ ଦିନିକିଆ ସିରିଜ୍‌ ଆଶା ମଉଳିଲା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ୭ ଓ୍ବିକେଟରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ । ଫଳରେ ଟେଷ୍ଟ ସିରିଜ୍‌କୁ ୨-୧ରେ ହାରିବା ପରେ ୩ ଟିକିଆ ଦିନିକିଆ ସିରିଜ୍‌କୁ ୦-୨ରେ ହାରି ସିରିଜ୍‌ ହାତଛଡା କରିଛି ଭାରତ ।

ଦ୍ବିତୀୟ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୨୮୭ ରନ ସଂଗ୍ରହ କରିଥିଲା ଭ୍ରମଣକାରୀ ଦଳ । ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ୪୮.୧ ଓଭରରେ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ୨୮୮ ରନ ସଂଗ୍ରହ କରିନେଇଛି । ଦଳ ପକ୍ଷରୁ ୨ ଓପନର ଜାନେମନ୍‌ ମଲାନ୍‌ ଏବଂ କ୍ବିଣ୍ଟନ୍‌ ଡି କକ୍‌ ଚମତ୍କାର ଆରମ୍ଭ କରିଥିଲେ । ପ୍ରଥମ ଓ୍ବିକେଟ ପାଇଁ ଉଭୟ ୧୩୨ ରନ କରିଥିଲେ । ଡି କକ୍‌ ବ୍ୟକ୍ତିଗତ ଭାବେ ୭୮ ରନ କରି ଆଉଟ ହୋଇଥିବା ବେଳେ ମଲାନ୍‌ ୯୧ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଅଧିନାୟକ ଟେମ୍ବା ବାଭୁମା ୩୫ ରନ କରି ଆଉଟ ହୋଇଛନ୍ତି । ଏଡେନ୍‌ ମାର୍କରମ୍‌ ୩୭ ଏବଂ ଭାନ୍‌ ଡର୍‌ ଡୁସେନ୍‌ ୩୭ ରନ କରି ଅପରାଜିତ ଅଛନ୍ତି ।

ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ୧୦ ଓଭରରେ ୩୭ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୧୦ ଓଭରରେ ୬୮ ରନ, ଯୁଜବେନ୍ଦ୍ର ଚହଲ ୧୦ ଓଭରରେ ୪୭ରନ ଦେଇ ୧ ଓ୍ବିକେଟ, ଶାର୍ଦ୍ଧୁଲ ଠାକୁର ୫ ଓଭରରେ ୩୫ ରନଦେଇ ୧ ଓ୍ବିକେଟ, ଭୁବନେଶ୍ବର କୁମାର ୮ ଓଭରରେ ୬୭ରନ, ଶ୍ରେୟସ ଆୟର ୦.୧ ଓଭରରେ ୧ ରନ ଏବଂ ଭେଙ୍କଟେଶ୍‌ ଆୟର ୫ ଓଭରରେ ୨୮ ରନ ଦେଇଛନ୍ତି ।

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୨୮୭ ରନ କରିଥିଲା ଟିମ୍‌ ଇଣ୍ଡିଆ । ଘରୋଇ ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ୨୮୮ ରନ ଆବଶ୍ୟକ ଥିଲା। ଅଧିନାୟକ ଲୋକେସ ରାହୁଲ ଏବଂ ଋଷଭ ପନ୍ତଙ୍କ ଦମଦାର ଅର୍ଦ୍ଧଶତକ ବଳରେ ସାଉଥ୍‌ ଆଫ୍ରିକାକୁ ବଡ ଟାର୍ଗେଟ୍ ଦେଇଥିଲା ଭାରତ । ଶେଷରେ ଶାର୍ଦ୍ଦୁଲ ଠାକୁରଙ୍କ ଜବରଦସ୍ତ ଇନିଂସ ଦଳ ପାଇଁ ବେଶ୍ ସହାୟକ ହୋଇଥିଲା ।

ଓପନର ଲୋକେସ ରାହୁଲ ଏବଂ ଶିଖର ଧାଓ୍ବନ ଭଲ ଆରମ୍ଭ କରିଥିଲେ । ଧାଓ୍ବନ ସେଟ୍‌ ହୋଇସାରିଥିଲେ ସୁଦ୍ଧା ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ସେ ୨୯ ରନ କରି ଆଉଟ ହୋଇଥିବା ବେଳେ ନିରାଶ କରିଥିଲେ ବିରାଟ କୋହଲି । ସେ ଖାତା ଖୋଲିବା ପୂର୍ବରୁ ହିଁ ପ୍ୟାଭିଲିୟନ୍‌ ଫେରିଥିଲେ । ଅନ୍ୟପଟେ ଅଧିନାୟକ ଲୋକେସ ରାହୁଲ ୫୫ ରନ କରି ଆଉଟ ହୋଇଥିବା ବେଳେ ପୂର୍ବ ମ୍ୟାଚ୍‌ରେ ଫେଲ୍‌ ମାରିଥିବା ପନ୍ତ କମାଲ କରିଥିଲେ । ବ୍ୟକ୍ତିଗତ ଭାବେ ୮୫ ରନ କରିଥିବା ପନ୍ତ ଶତକରୁ ବଞ୍ଚିତ ହୋଇଥିଲେ । ଶ୍ରେୟସ ଆୟର ପୁଣି ଫେଲ ମାରିଥିଲେ । ମାତ୍ର ୧୧ ରନ କରି ଆଉଟ ହୋଇଥିଲେ ଆୟର । ଅନ୍ୟପଟେ ଭେଙ୍କଟେଶ୍ ଆୟର ୨୨ରନ କରି ଆଉଟ ହୋଇଥିଲେ । ପୂର୍ବ ମ୍ୟାଚରେ ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିବା ଶାର୍ଦ୍ଦୁଲ ଠାକୁର ପୁଣିଥରେ କମାଲ କରିଥିଲେ । ଶାର୍ଦ୍ଧୁଲ ୪୦ ରନ କରି ଅପରାଜିତ ଥିବାବେଳେ ରବିଚନ୍ଦ୍ରନ ଅଶ୍ବିନ ୨୫ ରନକରି ଅପରାଜିତ ଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ୮ଓଭରରେ ୩୫ ରନ ଦେଇଥିବା ବେଳେ, ଆଇଡେନ୍‌ ମାର୍କରମ୍‌ ୮ ଓଭରରେ ୩୪ରନ ଦେଇ ୧ ଓ୍ବିକେଟ, କେଶବ ମହାରାଜ ୯ ଓଭରରେ ୫୧ରନ ୧ ଓ୍ବିକେଟ, ଆନ୍ଦିଲେ ଫେଲୁକ୍‌ଓ୍ବାୟୋ ୮ ଓଭରରେ ୪୪ରନ ୧ ଓ୍ବିକେଟ, ତବରିଜ୍‌ ସାମସୀ ୯ ଓଭରରେ ୫୭ରନ ଦେଇ ୨ ଓ୍ବିକେଟ ଏବଂ ସିସାନ୍ଦା ମାଗାଲା ୮ ଓଭରରେ ୬୪ରନଦେଇ ଗୋଟିଏ ଓ୍ବିକେଟ ନେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.