ଭାରତ-ଋଷ ସାମରିକ ସମ୍ପର୍କକୁ ନେଇ ଆମେରିକା ଟେନସନ : ମସ୍କୋର ନୂଆଦିଲ୍ଲୀକୁ ଏସ ୪୦୦ ଯୋଗାଣ ନେଇ ଆମେରିକା କହିଲା ଏମିତି...

Published By : Prameya-News7 Bureau | January 28, 2022 IST

ନୂଆଦିଲ୍ଲୀ, ୨୮/୦୧: ୟୁକ୍ରେନ ଓ ଋଷ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଉଭୟ ଦେଶ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । କେତେବେଳେ ବି ଯୁଦ୍ଧ ହୋଇପାରେ । ଏହାମଧ୍ୟରେ ଋଷ ଓ ଭାରତ ମଧ୍ୟରେ ଥିବା ପ୍ରତିରକ୍ଷା ସମ୍ପର୍କ ଉପରେ ପ୍ରତିକ୍ରିୟା ରଖିଛି ଆମେରିକା । ଉଭୟ ଦେଶ ମଧ୍ୟରେ ଏସ-୪୦୦ ମିସାଇଲକୁ ନେଇ ହୋଇଥିବା ଚୁକ୍ତି ଉପରେ ୟୁଏସ ନଜର ରଖିଥିବା କହିଛି ।

ଆମେରିକୀୟ ଷ୍ଟେଟ୍ ସ୍ପୋକ୍ ପର୍ସନ ନେଡ୍ ପ୍ରାଇସ୍ କହିଛନ୍ତି ଯେ,  ଏସ-୪୦୦ ମିସାଇଲ ସିଷ୍ଟମ ଉପରେ ସଦାବେଳେ ଆମେରିକା ସତର୍କ ଦୃଷ୍ଟି ରଖିଛି । ଏହାକୁ ବ୍ୟବହାର କରି ଋଷ ଅନେକ ଦେଶ ସହ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରୁଛି । ବାହାରେ ବି ଋଷ ଏହି ମିସାଇଲକୁ କୁଟନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି ।

ସେ ଆହୁରି କହିଛନ୍ତି ଯେ, ସେ ଭାରତ ସରକାରଙ୍କ ସହ ଏନେଇ ଆଲୋଚନା କରିବେ । ଚୁକ୍ତି ଦ୍ୱାରା କଣ ବିପଦ ରହିଛି ସେନେଇ ସେମାନେ ଭାରତ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେମାନଙ୍କ ପାଖରେ ଭାରତ ପାଇଁ କିଛି ଅଫର ନାହିଁ । ଏହାସତ୍ତ୍ୱେ ଭାରତରେ ଥିବା ଆମେରିକୀୟ ପାର୍ଟନରଙ୍କ ସହ ଆଲୋଚନା ଜାରି ରହିବ । କିପରି ଭାରତ ଋଷ ସହ ନୂଆ ପ୍ରତିରକ୍ଷା ଚୁକ୍ତି କରିବ ନାହିଁ ସେନେଇ ସେମାନେ ଭାରତ ସହ କଥା ହେବେ ବୋଲି ପ୍ରାଇସ୍ କହିଛନ୍ତି ।

ରିପୋର୍ଟ ଅନୁସାରେ, ଋଷିଆ ଆସନ୍ତା ଏପ୍ରିଲ ମାସରେ ଭାରତକୁ ପ୍ରଥମ ପର୍ଯ୍ୟାୟରେ ଏସ-୪୦୦ ମିସାଇଲ ସିଷ୍ଟମ ପ୍ରଦାନ କରିବ । ଯାହା ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରିବ । ଭାରତ ଋଷ ସହ ୫ ବିଲିୟନ ଡଲାରରେ ୫ଟି ୟୁନିଟ୍ କିଣିବ । ଏନେଇ ୨୦୧୮ରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା ।  

ସୂଚନାଯୋଗ୍ୟ,ଏସ-୪୦୦ ମିସାଇଲ ସିଷ୍ଟମକୁ ବ୍ୟବହାର କରିବା ସହଜ । ଏହାର ଲକ୍ଷ୍ୟଭେଦ କ୍ଷମତା ୪୦୦ କିମି ଓ ଏହାକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.