ହଟିଲା ଶ୍ରୀସନ୍ଥଙ୍କ ଉପରୁ ପ୍ରତିବନ୍ଧକ, ୭ ବର୍ଷର ବାସନ୍ଦ ପରେ ଷ୍ଟାଡିୟମକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ଏହି କେରଳ ପେସର୍

Published By : Prameya-News7 Bureau | September 13, 2020 IST

ନୁଆଦିଲ୍ଲୀ, ୧୩।୦୯:  ଭାରତୀୟ ଦଳର ଦ୍ରୁତ ବୋଲର ଏସ ଶ୍ରୀସନ୍ଥଙ୍କ ଉପରୁ ବାସନ୍ଦାଦେଶ ହଟିଛି । ସେ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟାସ୍ତ ହୋଇଥିଲା । ତେଣୁ ବିସିସିଆଇ ତାଙ୍କ ଉପରେ ୭ ବର୍ଷ ବାସନ୍ଦାଦେଶ ଜାରି କରିଥିଲା । ରବିବାର ହିଁ ତାଙ୍କ ଉପରୁ ପ୍ରତିବନ୍ଧକ ହଟିଛି ।

ପ୍ରଥମେ ଶ୍ରୀସନ୍ଥଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା । ପରେ ଏହି ଦଣ୍ଡ ବିରୋଧରେ ସେ ଆଇନର ଆଶ୍ରୟ ନେଇଥିଲେ । ୩୭ ବର୍ଷୀୟ ଶ୍ରୀସନ୍ଥ ପୂର୍ବରୁ କହିଥିଲେ ଯେ, ପ୍ରତିବନ୍ଧକ ହଟିବା ପରେ ସେ ଦ୍ୱିତୀୟ ଥର ଘରୋଇ କ୍ରିକେଟରେ ପାଦ ଦେବେ । ସେ କେରଳ ତରଫରୁ ଖେଳିବେ ବୋଲି କହିଥିଲେ । କେରଳ କ୍ରିକେଟ ବୋର୍ଡ ମଧ୍ୟ ଫିଟନେସ୍ ପ୍ରମାଣ ହେଲେ ଶ୍ରୀସନ୍ଥଙ୍କୁ ସୁଯୋଗ ଦେବ ବୋଲି କହି ସାରିଛି ।

ଶକ୍ରବାର ସେ ଟ୍ୱିଟ୍ କରି କହିଥିଲେ ଯେ, ସେ ଏବେ ସମସ୍ତ ଅଭିଯୋଗରୁ ମୁକ୍ତ ଅଛନ୍ତି । ପୁଣି ଖେଳରେ ପ୍ରତିନିଦ୍ଧିତ୍ୱ କରିବାକୁ ଆଗ୍ରହୀ । ସେ ସବୁ ବଲରେ ନିଜରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ମଧ୍ୟ କହିଥିଲେ । ସେ ଆହୁରି କହିଥିଲେ ଯେ, ତାଙ୍କ ପାଖରେ ଆହୁରି ୫ ବର୍ଷ ଖେଳିବାର ସୁଯୋଗ ରହିଛି । କେରଳରୁ ସୁଯୋଗ ମିଳିଲେ ସେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଟ୍ୱିଟରେ ଉଲ୍ଲେଖ କରିଥିଲେ ।

ଭାରତରେ ବିଭିନ୍ନ ଘରୋଇ ମ୍ୟାଚ୍ ଅଗଷ୍ଟରୁ ଆରମ୍ଭ ହୋଇଥାଏ । କିନ୍ତୁ କରୋନା ପାଇଁ ଓ ଆଇପିଏଲ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.