ବିଦେଶରୁ ଆସି ବୃନ୍ଦାବନରେ ରହିଲେ, ଭଗବାନ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କରିବାକୁ ଆପାର୍ଟମେଣ୍ଟର ଷଷ୍ଠ ମହଲାରୁ ଡେଇଁ ପଡିଲେ ବିଦେଶୀ ମହିଳା
24/01/2021 at 5:31 PM

ମଥୁରା ୨୪/୦୧ : ଈଶ୍ୱରଙ୍କୁ ପାଇବା ଇଚ୍ଛାରେ ଅନେକ ଲୋକ ନିଜ ଘର, ପରିବାର, ସହର ଛାଡି ଚାଲି ଯାଇଛନ୍ତି। ଏହିଭଳି ଅନେକ କାହାଣୀ ଆପଣ ଶୁଣିଥିବେ। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କରିବାକୁ ଆତ୍ମହତ୍ୟା କରିଥିବା ପ୍ରଥମ ମାମଲା ସାମ୍ନାକୁ ଆସିଛି। ବୃନ୍ଦାବନ ଥାନା ଅନ୍ତର୍ଗତ ରମଣରେତି ଅଞ୍ଚଳରେ ଋଷର ଜଣେ ବିଦେଶୀ ମହିଳା ଆତ୍ମହତ୍ୟା କରିଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ସହ ସାକ୍ଷାତ କରିବା ଇଛାରେ ବିଦେଶୀ ମହିଳା ଆତ୍ମହତ୍ୟା କରିଥିବା କୁହାଯାଉଛି। ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ଓ ରୁଷୀୟ ଦୂତାବାସ ଜରିଆରେ ପରିବାରକୁ ସୂଚନା ଦେଇଛି।
ଋଷରେ ରହୁଥିବା ୪୦ ବର୍ଷୀୟ ହେମେଲୋସ କେଆ ବର୍ଷେ ପୂର୍ବରୁ ବୃନ୍ଦାବନ ଆସିଥିଲେ। ଏଠାରେ ଋଷୀୟ ବିଲଡିଂ ରହି ସେ କୃଷ୍ଣଙ୍କ ଭକ୍ତି କରୁଥିଲେ। ହେମେଲୋସ କେଆ ଶନିବାର ଦିନ ଋଷୀୟ ବିଲଡିଂର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ସୂଚନା ପାଇବା କ୍ଷଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମାମଲାର ଯାଞ୍ଚ ପାଇଁ ଫରେନସିକ ଟିମ ମଧ୍ୟ ପହଞ୍ଚିଛି। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସକୁ ପଚରାଉଚୁରାରୁ ଜଣାପଡିଥିଲା ଯେ ହେମେଲୋସ କିଛି ଦିନ ହେଲା ନିଜ ସାଙ୍ଗମାନଙ୍କୁ ଭଗବାନ କୃଷ୍ଣଙ୍କ ସହ ସାକ୍ଷାତ କରିବା କଥା କହୁଥିଲେ ଓ ଶନିବାର ଦିନ ଆତ୍ମହତ୍ୟା କରିଛନ୍ତି।
ଏସପି କହିଛନ୍ତି ଯେ, ବୃନ୍ଦାବନ ଅଞ୍ଚଳରେ ଥିବା ଋଷୀୟ ବିଲଡିଂ ଯାହାକୁ ବୃନ୍ଦାବନ ଧାମ ଆପାର୍ଟମେଣ୍ଟ କୁହାଯାଏ ସେଠାରେ ହେମେଲୋସ ରହୁଥିଲେ। ଶନିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସେ ବିଲଡିଂର ଟପ ଫ୍ଲୋରରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ମାମଲା ବୋଲି ଏସପି ଅନୁମାନ କରିଛନ୍ତି। ତେବେ ଫରେନସିକ ଟିମ ଓ ଏଲଆଇୟୁ ଟିମ ତଦନ୍ତ କରୁଛନ୍ତି। ତେବେ ପୋଲିସ ଜାଣିବାକୁ ଚେଷ୍ଟା କରୁଛି ଯେ ହେମେଲୋସଙ୍କ ଆତ୍ମହତ୍ୟାର କାରଣ ଭଗବାନ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କରିବା ନା ଆଉ କିଛି କାରଣ ଅଛି।