ଚଳିତ ମାସରେ ଭାରତ ପହଞ୍ଚିବ ରୁଷ କରୋନା ଭ୍ୟାକସିନ, ଆରମ୍ଭ ହେବ କ୍ଲିନିକାଲ ଟ୍ରାଏଲ

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୦୭।୦୯: ରୁଷ କରୋନା ଭାଇରସ୍‌ ଭ୍ୟାକସିନ ସ୍ପୁଟୋନିକ ଭିର ଅନ୍ତିମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଚଳିତ ମାସରେ ଭାରତରେ ଆରମ୍ଭ ହେବ। ଭ୍ୟାକସିନ ପ୍ରସ୍ତୁତ ପାଇଁ ଫଣ୍ଡ ଉପଲବ୍ଧ କରାଉଥିବା ଏଜେନ୍ସି ରୁଷିୟାନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡର ସିଇଓ କିରିଲ ଦିମିତ୍ରିଜ କହିଛନ୍ତି ଏହି ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ଭାରତ ସମେତ ୟୁଏଇ, ସାଉଦି ଆରବ,  ଫିଲିପାଇନ୍ସ ଓ ବ୍ରାଜିଲରେ ଚଳିତ ମାସରେ ଆରମ୍ଭ ହୋଇଯିବ। ସେ ଏହା ମଧ୍ୟ କହିଛନ୍ତି ଯେ ଭ୍ୟାକସିନର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲର ପ୍ରାରମ୍ଭିକ ପରିଣାମ ଅକ୍ଟୋବର-ନଭେମ୍ବରରେ ଜାରି  କରାଯିବ।

ରୁଷର ଶୀର୍ଷ ଅଧିକାରୀ କହିଛନ୍ତି ଚଳିତ ସପ୍ତାହରୁ କରୋନା ଭାଇରସ୍‌ ଭ୍ୟାକସିନ୍‌ ସ୍ପୁଟୋନିକ ଭିକୁ ସାଧାରଣ ଜନତାଙ୍କ ପାଇଁ ଜାରି କରାଯିବ। ଏହି ଭ୍ୟାକସିନକୁ ରୁଷି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଗଷ୍ଟ ୧୧ରେ ଲଞ୍ଚ କରିଥିଲେ। ଏହି ଭ୍ୟାକସିନକୁ ମସ୍କୋର ଗାମଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁୟଟ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ପ୍ରୟାସରେ ପ୍ରସ୍ତୁତ କରିଛନ୍ତି।

ରୁଷିୟାନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ନିଜର ବୟାନରେ କହିଛି ଭ୍ୟାକସିନର ଉତ୍ପାଦନ ଭାରତ, ଦକ୍ଷିଣ କୋରିଆ, ବ୍ରାଜିଲ, ସାଉଦି ଆରବ, ତୁର୍କୀ ଓ କ୍ୟୁବାରେ କରାଯିବ। ଏହା ମଧ୍ୟ କୁହାଯାଇଛି ଯେ ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସାଉଦି ଆରବ, ୟୁଏଇ, ବ୍ରାଜିଲ, ଭାରତ ଓ ଫିଲିପାଇନ୍ସ ସହିତ ଅନେକ ଦେଶରେ କରାଯିବାର ଯୋଜନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.