ଭଲଖବର: ରୁଷ ସାଧାରଣ ଲୋକଙ୍କ ପାଇଁ ଜାରି କଲା Sputnik V ର ପ୍ରଥମ ବ୍ୟାଚ୍

Published By : Prameya-News7 Bureau | September 08, 2020 IST

ମସ୍କୋ ୦୮/୦୯: ବିଶ୍ବ କରୋନା ସହ ଲଢ଼ିୁଥିବା ବେଳେ ରୁଷ ଆଣିଛି ଆଶ୍ବସ୍ତିକର ଖବର। ରୁଷ ତାର କରୋନା ଭ୍ୟାକସିନ ‘ସ୍ପୁଟନିକ୍-ଭି’ର ପ୍ରଥମ ବ୍ୟାଚ୍ ସାଧାରଣ ଲୋକଙ୍କ ପାଇଁ ଜାରି କରିଛି। ରୁଷ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛନ୍ତି। ଅଞ୍ଚଳ ଭିତ୍ତିରେ ଭ୍ୟାକସିନ ଡେଲିଭରି ଖୁବ୍ ଶୀଘ୍ର କରାଯିବ। ଏହା ଛଡ଼ା ରାଜଧାନୀର ଅଧିକାଂଶ ଲୋକଙ୍କୁ କିଛି ମାସ ମଧ୍ୟରେ ଟିକା ଦିଆଯିବ। ଏହି ଟିକାକୁ ଗମଲେୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅଫ୍ ଏପିଡେମିୟୋଲଜି ଆଣ୍ଡ ମାଇକ୍ରୋବାୟୋଲଜି ଏବଂ ରୁଷ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ୍) ବିକଶିତ କରିଛି।

ସ୍ପୁଟନିକ ଭି ପ୍ରଥମ ବ୍ୟାଚ୍‌ରେ କ୍ବାଲିଟି ଟେଷ୍ଟରେ ପାସ୍ କରିଛି। ଯାହା ପରେ ଏବେ ସିଭିଲ ସର୍କୁଲେସନ୍ (ସାଧାରଣ ଜନତା)ଙ୍କ ପାଇଁ ଜାରି କରାଯାଇଛି। ରୁଷ ମନ୍ତ୍ରାଳୟ ସ୍ପୁଟନିକ୍ ଭିକୁ କରୋନା ବିରୋଧରେ ବିକଶିତ ହୋଇଥିବା ପ୍ରଥମ ଟିକା ଭାବେ ଅଗଷ୍ଟ ୧୧ରେ ପଞ୍ଜିକୃତ କରିଥିଲେ।

ସୂଚନାଯୋଗ୍ୟ କରୋନା ଭାଇରସ ବିରୋଧରେ ବିକଶିତ ହୋଇଥିବା ବିଶ୍ବର ଏହି ପ୍ରଥମ ଭ୍ୟାକସିନକୁ ସରକାରୀ ମଞ୍ଜୁରି ମିଳିବା ପରେ ଅନେକ ବିଶେଷଜ୍ଞ ଏହାକୁ ନେଇ ନାନା ପ୍ରଶ୍ନ ଉଠାଇ ଥିଲେ। ସେମାନେ କହିଥିଲେ ଭ୍ୟାକସିନକୁ ଉଚିତ୍ ପରୀକ୍ଷଣ ବିନା ମଞ୍ଜୁରୀ ମିଳିଛି। ରୁଷ ଭ୍ୟାକସିନ ତିଆରି କରିବା ଲକ୍ଷ୍ୟରେ ନିଜକୁ ଆଗରେ ରଖିବାକୁ ଚେଷ୍ଟା କରି ଟିକା ଆଣିଛି। ଅନ୍ୟପକ୍ଷେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଜ୍ଞାନିକ ମାନେ କହିଥିଲେ ଭ୍ୟାକସିନ ସହିତ ସେମାନେ ରୁଷ ସହ କଥା ହୋଇଛନ୍ତି କିନ୍ତୁ ଏଯାଏଁ ‌ସେମାନଙ୍କୁ ବିସ୍ତୃତ ତଥ୍ୟ ମିଳିପାରି ନାହିଁ।

ଏହା ପୂର୍ବରୁ ଅଗଷ୍ଟ ୧୧ରେ ଟୀକାକୁ ମଞ୍ଜୁରୀ ମିଳିଥିବା ଘୋଷଣା କରି ରୁଷ ରାଷ୍ଟ୍ରପତି ଭ୍ଲାଦମିର୍ ପୁଟିନ୍। ତାଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣକୁ ଟୀକା ଦିଆଯାଇଥିବା ମଧ୍ୟ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.