ଋଷିଆରେ ପୁତିନଙ୍କ ବିରୋଧୀ ନେତାଙ୍କୁ ଦିଆଯାଇଛି ବିଷ !

Published By : Prameya-News7 Bureau | August 20, 2020 IST

ମସ୍କୋ ୨୦।୮: ଋଷିଆରେ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ମୁଖ୍ୟ ବିରୋଧୀ ଏଲେକ୍ସି ନଭଲ୍ନିଙ୍କୁ ବିଷ ଦେଇ ଦିଆଯାଇଥିବାର ଅଭିଯୋଗ ହୋଇଛି। ଫଳରେ ଏଲେକ୍ସି ଏବେ କୋମାକୁ ଚାଲିଯାଇଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏଲେକ୍ସୀଙ୍କ ମୁଖପାତ୍ର କିୟାରା ୟର୍ମିଶ୍ ଗୁରୁବାର ତାଙ୍କ ଟ୍ୱିଟ୍‌ରେ ଏହା ସୂଚିତ କରିଛନ୍ତି।

ସେ କୌଣସି କାମରେ ସାଇବେରିଆ ଯାଇଥିଲେ, ତେବେ ରାଜଧାନୀ ମସ୍କୋ ଫେରୁଥିବା ରାସ୍ତାରେ ଅଚାନକ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇପଡିଥିଲା। ଏଣୁ ବିମାନକୁ ଜରୁରି ଅବତରଣ କରାଯାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଡାକ୍ତରଙ୍କ ତଥ୍ୟକୁ ଆଧାରକରି ମୁଖପାତ୍ର ତାଙ୍କୁ ଚାରେ ବିଷ ଦିଆଯାଇଥିବା କହିଛନ୍ତି। ସେ ସକାଳେ ଚା ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ଖାଆନ୍ତି ନାହିଁ।  ଏଣୁ ତାଙ୍କୁ ଗରମ ପାନୀୟରେ ଘାତକ ବିଷ ଦେଇ ଦିଆଯାଇଛି ବୋଲି କିଆରା ଅଭିଯୋଗ କରିଛନ୍ତି।

ଟ୍ୱିଟରେ ବିରୋଧୀ ଦଳ ନେତାଙ୍କ ମୁଖପାତ୍ର  କରିଥିବା ଅଭିଯୋଗ ଆଧାରରେ ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଋଷିଆ ନ୍ୟୁଜ୍ ଏଜେନ୍ସୀ 'ତାସ୍‌' ହସ୍ପିଟାଲ ସୂତ୍ରରୁ ସଂଗୃହୀତ ସୂଚନା ଆଧାରରେ ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ସୂଚିତ କରିଛନ୍ତି।

ପେଷାରେ ଜଣେ ଓକିଲ ଏଲେକ୍ସି ପୁତିନଙ୍କ ବିରୋଧରେ ଅଧିକାଂଶ ସମୟ ରାଜଧାନୀରେ ରାଲି ଆୟୋଜନ କରନ୍ତି। ଏଥିଲାଗି ଅତୀତରେ ଅନେକବାର ଗିରଫ ହୋଇଥିବା ବେଳେ ସେ ଅନେକ ସମୟ ଜେଲରେ ମଧ୍ୟ ରହିଛନ୍ତି। ଗତବର୍ଷ ସେ ଜେଲରେ ବନ୍ଦୀ ଥିବା ବେଳେ ତାଙ୍କୁ ଅଚାନକ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେତେବେଳେ ମଧ୍ୟ ତାଙ୍କ ସମର୍ଥକମାନେ ତାଙ୍କୁ ବିଷ ଦେଇ ଦିଆଯାଇଥିବାର ଅଭିଯୋଗ କରିଥିଲେ। ତେବେ ସେତେବେଳେ ସେ ଏଲାର୍ଜୀ ଯୋଗୁ ଅସୁସ୍ଥଥିବାର ଡାକ୍ତର କହିଥିଲେ।

ହେଲେ ଏଥର ପୁଣି ଥରେ ତାଙ୍କୁ ବିଷୟ ଦିଆଯାଇଥିବା ନେଇ ପାର୍ଟି ଅଭିଯୋଗ କରିଥିବା ବେଳେ ତାହା ବାସ୍ତବ ପ୍ରମାଣିତ ହୋଇଛି।  ଘଟଣା  ପ୍ରଘଟ ହେବା ପରେ ଦେଶରେ ରାଜନୈତିକ ଉଷ୍ମତା ବଢୁବାରେ ଲାଗିଛି। ଯାହା ଏବେ ରାଷ୍ଟ୍ରପତି ପୁତିନଙ୍କ ଲାଗି ନୂଆ ସମସ୍ୟା ଛିଡା କରିପାରେ ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.