ଅଗଷ୍ଟ ୧୦ ସୁଦ୍ଧା ଆସିପାରେ ଦୁନିଆର ପ୍ରଥମ କରୋନା ଭ୍ୟାକସିନ

Published By : Prameya-News7 Bureau | August 07, 2020 IST

ମସ୍କୋ ୦୭/୦୮ : ଋଷ ଦାବି କରିଛି ଯେ ଅଗଷ୍ଟ ୧୦ ରୁ ୧୨ ତାରିଖ ମଧ୍ୟରେ କରୋନା ଭ୍ୟାକସିନ ଲଞ୍ଚ କରିଦିଆଯିବ | ଏହା ଦୁନିଆର ପ୍ରଥମ କରୋନା ଭ୍ୟାକସିନ | ସମାଚାର ଏଜେନ୍ସି ବ୍ଲୁମବର୍ଗ ଅନୁସାରେ ଲଞ୍ଚକୁ ନେଇ ସମସ୍ତ ପ୍ରସ୍ତୁତି ହୋଇସାରିଛି | ରିପୋର୍ଟ ଅନୁଯାୟୀ ପ୍ରଥମେ ଏହି ଭ୍ୟାକସିନକୁ ରେଜିଷ୍ଟର କରାଯିବ ଏବଂ ୩ ରୁ ୭ ଦିନ ମଧ୍ୟରେ ଲୋକଙ୍କ ପାଇଁ ଭ୍ୟାକସିନ ବଜାରରେ ଉପଲବ୍ଧ ହେବ | ଋଷ ତରଫରୁ ପୂର୍ବରୁ କୁହାଯାଇଥିଲା ଯେ ଅଗଷ୍ଟ ୧୫-୧୬ ତାରିଖରେ ଭ୍ୟାକସିନ ଆସିବ | ଏହି ଭ୍ୟାକସିନକୁ ଗାମାଲିୟା ରିସର୍ଚ୍ଚ ସେଣ୍ଟର ଅଫ ଏପିଡେମୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ପ୍ରସ୍ତୁତ କରିଛି | ସ୍ପୁତନିକ ନ୍ୟୁଜ ସୁରକ୍ଷା ମନ୍ତ୍ରାଳୟ ତରଫରୁ କହିଛି ଯେ ଏହି ଟୀକା ଦେବା ପରେ ସକାରାତ୍ମକ ଫଳାଫଳ ଆସିଥିଲା | ପରୀକ୍ଷଣ କରାଯାଇଥିବା ବ୍ୟକ୍ତିଙ୍କ ପ୍ରତିରୋଧ କ୍ଷମତା ଉପରେ ଭଲ ରେଜଲ୍ଟ ଆସିଥିଲା | ବ୍ୟକ୍ତିଙ୍କ ଠାରେ କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୋଇନଥିଲା | କିନ୍ତୁ ଭ୍ୟାକସିନ ପ୍ରଥମେ ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ | 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଋଷର ଏହି ଭ୍ୟାକସିନକୁ ନେଇ ଚିନ୍ତା ଜାହିର କରିଛି | ସଂଗଠନ କହିଛି ଯେ ଭ୍ୟାକସିନ ତିଆରି ପାଇଁ ଋଷ ଗାଇଡଲାଇନ ପାଳନ କରିନାହିଁ | ସେଥିପାଇଁ ଭ୍ୟାକସିନର ସଫଳତା ଉପରେ ଭରସା କରିବା ମୁସକିଲ ବୋଲି ସଂଗଠନ କହିଛି | ତୃତୀୟ ପରୀକ୍ଷଣ ବିନା ଯଦି କୌଣସି ଭ୍ୟାକସିନର ଲାଇସେନ୍ସ ଜାରି କରାଯାଏ ତାହେଲେ ଏହା ବିପଦଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରବକ୍ତା କ୍ରିଷ୍ଟିୟନ କହିଛନ୍ତି |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଦୁନିଆରେ ୬ଟି ଭ୍ୟାକସିନ କାମ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି | ତେବେ ଏହି ସବୁ ଭ୍ୟାକସିନ ସଫଳ ହେବ ନା ନାହିଁ ତାର ଗ୍ୟାରେଣ୍ଟି ସଂଗଠନ ଦେଇନାହିଁ | ବର୍ତ୍ତମାନ ସାରା ଦୁନିଆରେ ୧୬୫ ଭ୍ୟାକସିନ ଉପରେ କାମ ଚାଲିଛି | ଏହିସବୁର ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି | ସେମାନଙ୍କ ମଧ୍ୟରୁ ୨୬ ଟି ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ଚାଲିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.