କରୋନା ଟୀକା: ଋଷ ଭ୍ୟାକସିନ ଆଣିଲା ନୂଆ ଆଶା, ହ୍ୟୁମାନ ଟ୍ରାଏଲରେ ମିଳିଲା ଭଲ ରେଜଲ୍ଯ
5/09/2020 at 12:47 PM

ଋଷ ୦୫/୦୯: ଋଷ ଗତ ମାସରେ ସର୍ବପ୍ରଥମେ କରୋନା ଟିକା ଆଣିଥିବା ଦାବି କରିଥିଲା। ଏହାର ନାଁ Sputnik V। ଏହି ରୁଷୀୟ ଭ୍ୟାକସିନ ଉପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଆମେରିକା ତଥା ଦୁନିଆର ତମାମ ବଡ଼ ବଡ଼ ଏକ୍ସପର୍ଟ ଆରମ୍ଭରୁ ଏହାକୁ ଭରସା କରିପାରି ନ ଥିଲେ। ଏବେ ଏକ ନୂତନ ଅଧ୍ୟୟନରେ ଋଷର ଏହି ଟିକାକୁ ଏକଦମ ସୁରକ୍ଷିତ ଓ ପ୍ରଭାବି ବୋଲି କୁହାଯାଇଛି।
ଦି ଲାନସିଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଟିଏ ନନ୍- ରେଡମାଇଜଡ୍ ଭ୍ୟାକସିନ ଟ୍ରାଏଲରେ ଏହାର ଭଲ ପରିଣାମ ମିଳିଛି। ଟିକାର ଦୁଇଟି ଫର୍ମୁଲେସନକୁ ୭୬ ଲୋକଙ୍କ ଉପରେ ଟ୍ରାଏଲ କରାଯିବା ପରେ ୪୨ ଦିନରେ ଏହାର ସେଫ୍ଟି ପ୍ରୋଫାଇଲ ବିଷୟରେ ସୂଚନା ମିଳିଛି। ଏହା ସହ ୨୧ ଦିନ ମଧ୍ୟରେ ସବୁ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଆଣ୍ଟିବଡ଼ିରେ ଭଲ ରେସପନ୍ସ ମିଳିଛି।
ଗବେଷକମାନେ ଦାବି କରିଛନ୍ତି ୨୮ ଦିନରେ ଭ୍ୟାକସିନ ଶରୀରରେ ଟି-ସେଲ ମଧ୍ୟ ଜେନେରେଟ୍ କରୁଛି। ଯାହା ଶରୀରରେ ଭାଇରସ ସହ ଲଢ଼ିବାରେ ବଳ ଦିଏ। ଏହି ଭ୍ୟାକସିନ ହାତର ମାଂସପେଶୀ ଜରିଆରେ ଶରୀରରେ ଦିଆଯାଏ। ଏହା ପରେ ଇମ୍ୟୁନ ସିଷ୍ଯମ ଊପରେ ଟିକାର ପ୍ରଭାବ ଦେଖିବାକୁ ମିଳିଛି। ଆଣ୍ଯିବଡ଼ି ଓ ଟି-ସେଲ ଜେନେରେଟ୍ ହେବା ପରେ ଶରୀରରେ ବ୍ୟାପିଥିବା ଭାଇରସ ଓ ସାର୍ସ-କୋଭ୍-୨ର ଇନଫେକଟେଡ୍ ସେଲସ ଉପରେ ଏହାର ନଜର ରହିଛି।
ଭ୍ୟାକସିନ ନେଇଥିବା ସମସ୍ତ ସ୍ବେଚ୍ଛାସେବୀଙ୍କୁ ପ୍ରଥମେ ୨୮ ଦିନ ହସ୍ପିଟାଲରେ ରଖାଯାଇ ଥିଲା। ଟିକା ନେବା ପରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ହୋଇଥିଲା। ଏହା ସହ ହାଇପରଥିମିଆ, ମୁଣ୍ଡବିନ୍ଧା, ଦୁର୍ବଳ ଲାଗିବା, ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ଏହି ଲକ୍ଷଣ ସାଧାରଣ ଟିକା ନେଲେ ବି ଦେଖାଯାଏ ବୋଲି ଗବେଷକାମାନେ କହିଛନ୍ତି।