ଋଷର ଦ୍ୱିତୀୟ କରୋନା ଭାକସିନ୍ ବି ପ୍ରସ୍ତୁତ, ଚାଲିଛି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ହ୍ୟୁମାନ୍ ଟ୍ରାଏଲ୍

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ,୨୩/୦୮: ରୁଷ ଦ୍ୱାରା ବିକଶିତ ଆଉ ଏକ କରୋନା ଟିକାକୁ ନେଇ ଆଶା ବଢ଼ିଛି। ଏହି ଟିକାର ମାନବ ପରୀକ୍ଷଣରୁ ସକାରାତ୍ମକ ଫଳ ମିଳିଛି। ପ୍ରାକ୍‌ ପରୀକ୍ଷାରେ ଟିକାଟି ସୁରକ୍ଷିତ ଏବଂ ପ୍ରଭାବୀ ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ରୁଷର ଭେକ୍ଟର ଷ୍ଟେଟ ରିସର୍ଚ୍ଚ ସେଣ୍ଟର ଅଫ୍‌ ଭାଇରୋଲୋଜି ଆଣ୍ଡ୍‌ ବାୟୋଟେକ୍ନୋଲୋଜି ଦ୍ୱାରା ଏହି ଟିକା ପ୍ରସ୍ତୁତ କରାଯାଇଛି । ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଜାରି ରହିଛି । ଏହି ଟିକାର ନାମ ‘ଏପିଭାକ୍‌କରୋନା’ ରଖାଯାଇଛି ।

ରୁଷ ପକ୍ଷରୁ କୁହାଯାଇଛି ଯେ ଏପିଭାକ୍‌କରୋନା ଟିକାର ପ୍ରଥମ ସଟ୍‌ କିଛି ସ୍ୱେଚ୍ଛାସେବୀଙ୍କୁ ଦିଆଯାଇଥିଲା । ସେମାନଙ୍କ ଶରୀରରେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ବରଂ ଏହା ପ୍ରଭାବୀ ପ୍ରମାଣିତ ହୋଇଛି । ସେପ୍ଟେମ୍ବରରେ ଟିକାର ସମସ୍ତ କ୍ଲିନିକାଲ ଟ୍ରାଏଲ୍‌ ଶେଷ ହେବ ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ରୁଷ ଦ୍ୱାରା ବିକାଶିତ ଆଉ ଏକ ଟିକା ସ୍ପୁଟ୍‌ନିକ୍‌-୫କୁ ମଞ୍ଜୁରି ମିଳିସାରିଛି। ସେପ୍ଟେମ୍ବରରେ ଏହାର ବ୍ୟାପକ ଉତ୍ପାଦନ କରାଯାଇ ଅକ୍ଟୋବରରେ ଉପଲବ୍ଧ କରାଯିବ । ଏହି ଟିକା ବେଶ୍‌ ପ୍ରଭାବୀ ଏବଂ ସୁରକ୍ଷିତ ବୋଲି ଗାମାଲେୟା ଇନ୍‌ଷ୍ଟିଚ୍ୟୁଟ୍‌ ଦାବି କରିଛି ।

ଅନ୍ୟପକ୍ଷରେ କରୋନା ଭୂତାଣୁର ପୃଥକ୍‌ ପୃଥକ୍‌ ଷ୍ଟ୍ରେନ୍‌ ଠାବ କରାଯାଉଥିବାରୁ ଟିକାଟି କେତେଦୂର ପ୍ରଭାବୀ ହେବ, ତାହାକୁ ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏମିତି କି ସ୍ପୁଟ୍‌ନିକ୍‌-୫ର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷା କରାଯାଇ ନ ଥିବାରୁ ଏହା ନିରାପଦ ନୁହେଁ ବୋଲି ଆମେରିକା, ବ୍ରିଟେନ୍‌ ଭଳି କିଛି ରାଷ୍ଟ୍ର ଅଭିଯୋଗ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବି ଏହା ଉପରେ ଅଙ୍ଗୁଳି ଉଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.