କରୋନା ଭାଇରସ ନେଇ ସାରାଦେଶରେ ଲକ୍ ଡାଉନ୍ , ସରକାରଙ୍କ ନିୟମଙ୍କୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଗାଁ ଲୋକେ

Published By : Prameya-News7 Bureau | March 29, 2020 IST

ଭୁବନେଶ୍ୱର ୨୯।୦୩: ମହାମାରୀ କରୋନା ଭାଇରସରୁ ସୁରକ୍ଷିତ ରଖିବା ପାଇଁ ଏବେ ସହର ଠୁ ଗାଁ ସବୁଠି ଲୋକେ ସଚେତନ ହେବାକୁ ଲାଗିଛନ୍ତି । ଗ୍ରାମାଞ୍ଚଳରେ ସେଲ୍ଫ କ୍ବାରାଣ୍ଟାଇନ୍ ବ୍ୟବସ୍ଥା ବି ଆପଣାଯାଉଛି । ଗାଁ ଗାଁରେ ଲୋକେ ଏଥିପାଇଁ ସଚେତନ ହେଉଥିବା ବେଳେ ଗାଁକୁ ପ୍ରବେଶ କରୁଥିବା ଲୋକଙ୍କୁ ଗାଁ ମୁଣ୍ଡରେ ସାବୁନ୍‌ରେ ହାତ ଧୋଇ ପ୍ରବେଶ କରିବାକୁ କୁହାଯାଉଛି ।

{"id":245639,"sizeSlug":"large"}

ସାରା ଭାରତ ଲକ୍ ଡାଉନ୍ । ଗାଁଠୁ ସହର ସବୁଠି ଲକ୍ ଡାଉନ୍ । ଏବେ କୌଣସି ଗାଁକୁ ପ୍ରବେଶ କରୁଥିବା ଲୋକଙ୍କ ପାଇଁ ବି ନାନା କଟକଣା । ଏ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ପିତାମ୍ବରପୁରର ଗାଁ ମୁଣ୍ଡରେ ଲୋକେ ଲଗାଇଛନ୍ତି ବାରିକେଡ୍ । ଆଉ ଏଥିରେ ଲେଖାଯାଇଛି ଲକ୍ ଡାଉନ୍ । ଗାଁକୁ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ବିନା ହାତ ଧୁଆରେ ଗାଁ ଭିତର ଦେଇ ଛଡା ଯାଉନାହିଁ । ସେଠାରେ ପାଣି ଓ ସାବୁନ୍ ସହ ଜଗି ବସିଛନ୍ତି ଗାଁର କିଛି ଲୋକେ । ଯିଏ ବି ଗାଁ ଭିତରକୁ ପ୍ରବେଶ କରୁଛି ସାବୁନ୍‌ରେ ହାତ ଧୋଇ ପ୍ରବେଶ କରୁଛି । ଏପରିକି ଜରୁରୀ କାମ ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି ଗାଁ ଲୋକେ । ସାମାଜିକ ଦୂରତା ସହ ଲୋକଙ୍କ ଅଯଥା ଯିବା ଆସିବାକୁ ବନ୍ଦ କରୁଛନ୍ତି । ତେବେ ଲକ୍ ଡାଉନ ପାଇଁ ଯାନବାହାନ ଚଳାଚଳ ବନ୍ଦ ଥିବାରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସଂପର୍କୀୟମାନେ ଏବେ ନାନା ହଇରାଣ ହେଉଥିବା ବି ଦେଖିବାକୁ ମିଳିଛି ।

{"id":245640,"sizeSlug":"large"}

ସେହିଭଳି କୋରୋନା କଟକଣାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ସୁବର୍ଣ୍ଣପୁର ସଦର ବ୍ଲକ ବଳଦାପାଲି ଗାଁ ଲୋକେ । ଗାଁର ପ୍ରତିଟି ଘର ଆଗରେ କରୋନାକୁ ନା ବୋଲି ପୋଷ୍ଟର ମରାଯାଇଛି । ଏଥିସହ ଲୋକେ ଘରେ ହିଁ ରହୁଥିବା ଦେଖିବାକୁ ମିଳିଛି । ଗାଁର କିଛି ସ୍ବେଚ୍ଛାସେବୀ କରୋନାକୁ ପ୍ରତିହତ କରିବା ପାଇଁ ପ୍ରତିଟି ଘର ଲୋକଙ୍କୁ ସଚେତନ କରୁଛନ୍ତି । ଗାଁର ପ୍ରବେଶ ପଥକୁ ସିଲ କରି ଦେଇଛନ୍ତି । କୌଣସି ଅପରିଚିତ ଲୋକକୁ ଗାଁ ଭିତରକୁ ଛଡାଯାଉ ନାହିଁ । ଅତି ବିନମ୍ରତାର ସହିତ ସେମାନଙ୍କୁ ଫେରି ଯିବାକୁ ଅନୁରୋଧ କରାଯାଉଛି ।

{"id":245642,"sizeSlug":"large"}

ସେହିପରି ଉଦଳା ଡିହିରାକୁଳ ଗାଁ ଭିତରକୁ ଯିବାକୁ ହଲେ ବାଟରେ ତିନିଟି ଫାଟକ ପାରି ହେବାକୁ ପଡୁଛି । ଗାଁର ଲୋକେ ଲକ୍ ଡାଉନକୁ ପାଳନ କରି ଘରୁ ବାହାରୁ ନଥିବାବେଳେ ଗାଁ ରାସ୍ତାକୁ ଏଭଳି ସିଲ୍ କରିଛନ୍ତି । ବିନା କାରଣରେ କୌଣସି ଗାଡିକୁ ଗାଁ ଭିତର ଦେଇ ଛାଡୁ ନାହାନ୍ତି ।

{"id":245643,"sizeSlug":"large"}

କେନ୍ଦୁଝର ସଲରାପେଣ୍ଠ ଲୋକେ ଗାଁକୁ ଆସୁଥିବା ଅତିଥି କିମ୍ବା କିମ୍ବା ଗାଁ ବାହାରକୁ ଯିବାକୁ ଥିବା ଲୋକଙ୍କୁ ବିନା କାରଣରେ ପ୍ରବେଶ କରାଇ ଦେଉନାହାନ୍ତି । ଗାଁ ଦାଣ୍ଡରେ ପାଳିକରି ଜଗି ବସିଛନ୍ତି । ଗାଁକୁ ଯଦି କିଏ ପ୍ରବେଶ କରିବାକୁ କିମ୍ବା ବାହାରକୁ ଯିବାକୁ ଚାହୁଁଛି ତେବେ ତାଙ୍କୁ ଗୋଡ ହାତ ସାବୁନରେ ଧୋଇ ଯିବାକୁ କୁହାଯାଉଛି । ଗାଁର ଅଧିକାଂଶ ଲୋକେ ଆଦିବାସୀ ଓ ଶ୍ରମିକ ଶ୍ରେଣୀର ହୋଇଥିଲେ ବି କରୋନା ପ୍ରତି ବେଶ ସଚେତନ ଅଛନ୍ତି । ସରକାରଙ୍କ ସମସ୍ତ କଟକଣାକୁ ଅକ୍ଷରେ ଅକ୍ଷରେ ପାଲନ କରୁଛନ୍ତି ।

{"id":245644,"sizeSlug":"large"}

ଲକ୍ ଡାଉନ୍ ବେଳେ କେବଳ ସହର ଲୋକେ ନୁହନ୍ତି ଗାଁ ଲୋକେ ବି ବେଶ ସଚେତନ ଅଛନ୍ତି  । ଯାହା ଭଲ ପଦକ୍ଷେପ । ତେବେ ଅତି ଜରୁରୀ କାମରେ ବା ପରିସ୍ଥିତିରେ ପଡିଥିବା ଲୋକେ ଯେପରି କୌଣସି ହଇରାଣ ନ ହୁଅନ୍ତି ସେଥିପ୍ରତି ବି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ।

{"id":245645,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.