କରୋନା କାଳରେ ଜମିଥିଲା ବିବାହ ଭୋଜିର ଆସର, ୨୦ ହଜାର ଟଙ୍କା ତଣ୍ଡ ଗଣିଲେ ଆୟୋଜକ

Published By : Prameya-News7 Bureau | May 27, 2021 IST

ଦାରିଙ୍ଗବାଡ଼ି ୨୭/୫: କରୋନା କାଳରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଲଗାଇଛନ୍ତି । ବିଶେଷ କରି ଭୋଜିଭାତ ଉପରେ ରୋକ ଲାଗିଛି । କିନ୍ତୁ କିଛି ଅମାନିଆ ନିୟମକୁ ବେଖାତିର କରି ତଣ୍ଡ ଗଣୁଥିବା ଦେଖିବାକୁ ମିଳୁଛି । ଦାରିଙ୍ଗବାଡ଼ି ଅଂଚଳରେ ଦିନ କୁ ଦିନ କୋଭିଡ଼ ନିୟମ ଉଲ୍ଲଂଘନକାରୀଙ୍କ ସଂଖ୍ୟା ବୃଦ୍ଧିପାଉଛି । ମୋଟାଅଙ୍କର ଜରିମାନା  ଆଦାୟ କରାଯାଉଥିଲେ ସୁଦ୍ଧା ଅମାନିଆ ସୁଧୁରୁନାହାନ୍ତି ।

ଗୁରବାର  କୋଭିଡ ନିୟମ ଉଲ୍ଲଂଘନ କରି ଗାହାଡାଡି ଗାଁରେ ବାହା ଘର ଭୋଜି ଆୟୋଜନ ହେଉଥିବା ବେଳେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ କୌଶିକ ମାଝୀ ମିଳିତ ଭାବେ ଚଢ଼ଉ କରି ଆୟୋଜକ କିରଣ ପ୍ରଧାନଙ୍କ  ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି ।  ଦାରିଙ୍ଗବାଡ଼ି  ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାହାଗାଡ଼ି ଗ୍ରାମରେ ଚାଲିଥିବା ଏହି ବାହାଘରରେ ଏକ ବଡ଼ ଭୋଜିର ଆୟୋଜନ ହୋଇଥିଲା ।

କାର୍ଯ୍ୟକ୍ରମରେ ଶତାଧିକ ଲୋକ ଯୋଗ ଦେଇଥିବା ବେଳେ ସାମାଜିକ ଦୂରତା କିମ୍ବା ମାସ୍କ ବ୍ୟବହାର କରିନଥିଲେ । କୌଣସି ସୂତ୍ରରୁ ଖବର ପାଇ ଦାରିଙ୍ଗବାଡ଼ି ତହସିଲଦାର,ଥାନା ଅଧିକାରୀ ସହ ରାଜସ୍ୱ ବିଭାଗର କର୍ମଚାରୀ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆୟୋଜକ କିରଣ ପ୍ରଧାନଙ୍କୁ  ୨୦ ହଜାର ଟଙ୍କା ଫାଇନ୍‌ କରିବା ସହ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ ।

ଆଜି ସୁଦ୍ଧା ତହସିଲ ଓ ପୋଲିସ ବିଭାଗ ପକ୍ଷରୁ ଦାରିଙ୍ଗବାଡି ଅଞ୍ଚଳରେ ୮ ଟି ଭୋଜି ବନ୍ଦ କରାଯିବା ସହ  ୯୦ ହଜାରରୁ ଅଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି । ତଥାପି ଅମାନିଆମାନେ ସଚେତନ ହେଉନାହାନ୍ତି କି କୋଭିଡ଼ ନିୟମକୁ ମାନୁନାହାନ୍ତି । ଏଣୁ ଏଭଳି ଅମାନିଆଙ୍କୁ କଠୋର ଦଣ୍ଡ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.