Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡଲାର୍ ତୁଳନାରେ ହ୍ରାସ ପାଇଛି ଭାରତୀୟ ମୁଦ୍ରାର ମୂଲ୍ୟ

31/08/2018 at 6:37 AM

ଭୁବନେଶ୍ୱର ୩୧/୮(ବ୍ୟୁରୋ) : ଭାରତୀୟ ମୁଦ୍ରାର ମୂଲ୍ୟ ସର୍ବନିମ୍ନ ହ୍ରାସ ପାଇଛି । ପ୍ରତି ଏକ ଡଲାରର ମୂଲ୍ୟ ହୋଇଛି ୭୧ ଟଙ୍କା । ପରିସ୍ଥିତି ପାଇଁ ଅନ୍ତର୍ଜାତୀୟ ବଜାରକୁ ଦାୟୀ କରୁଛନ୍ତି ସରକାର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ୍ ବଢୁଥିବାରୁ ଟଙ୍କାର ମୂଲ୍ୟ ପ୍ରଭାବିତ ହେଉଥିବା ସରକାର କହୁଛନ୍ତି । ବିରୋଧୀ କିନ୍ତୁ ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନା କରିଛନ୍ତି । ଟଙ୍କା ମୂଲ୍ୟ ପାଇଁ ଆମଦାନୀ ଓ ରପ୍ତାନୀ ପ୍ରଭାବିତ ହେଉଥିବା ବେଳେ ମୁଦ୍ରାସ୍ଫୀତି ବଢ଼ିବା ସମ୍ଭାବନା ସୃଷ୍ଟି ହେଲାଣି ।
କାରବାର ଶେଷ ବେଳକୁ ପ୍ରତି ଏକ ଡଲାରର ବିନିମୟ ମୂଲ୍ୟ ଥିଲା ୭୦ ଟଙ୍କା ୯୨ ପଇସା । ଡଲାର୍ ତୁଳନାରେ ସର୍ବକାଳୀନ ରେକର୍ଡ କରିଛି ଭାରତୀୟ ମୁଦ୍ରା । କେବଳ ଅଗଷ୍ଟ ମାସରେ ଟଙ୍କାର ମୂଲ୍ୟ ୩.୩ ପ୍ରତିଶତ କମିଥିବା ବେଳେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା କମିଲାଣି ୧୦ ପ୍ରତିଶତ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୭୫ ଡଲାର୍ ଥିବା ବେଳେ, ଭାରତୀୟ ମୁଦ୍ରା କରିଛି ସର୍ବକାଳୀନ ରେକର୍ଡ । ଯାହା ଉଭୟ ଷ୍ଟକ୍ ମାର୍କେଟ୍ ଓ ଅର୍ଥନୀତି ଉପରେ ଉପରେ ପ୍ରବାବ ପକାଇଛି । ଟଙ୍କାର ଲଗାତାର ଅବମୂଲ୍ୟାୟନ ପାଇଁ ଗତ ୬୧ ମାସ ଧରି କରେଣ୍ଟ୍ ଆକାଉଣ୍ଟ୍ ଡେଫିସିଟ୍ ଅଧିକ ରହୁଛି । ଦେଶର ସୀମା ଭିତରେ ଟଙ୍କା ଚଳୁଥିବା ବେଳେ, ସୀମା ଡେଇଁଲେ ଦରକାର ଡଲାର୍ । ତେଣୁ ଟଙ୍କାର ମୂଲ୍ୟ ହ୍ରାସ ଆମଦାନୀ କ୍ଷେତ୍ରକୁ ସିଧା ପ୍ରଭାବିତ କରୁଛି । ବିଦେଶରୁ ଆସୁଥିବା ସାମଗ୍ରୀ ଏବଂ ବିଦେଶରେ ପଢୁଥିବା ପିଲାମାନେ ଅଧିକ ଆର୍ଥିକ କ୍ଷତି ସହିବା ନିଶ୍ଚିତ । ସେହିଭଳି ବିଦେଶକୁ ରପ୍ତାନୀ ହେଉଥିବା ସାମଗ୍ରୀ ମଧ୍ୟ ପ୍ରଭାବିତ ହେବ । ଆମଦାନୀ ରପ୍ତାନୀ ପ୍ରଭାବିତ ହେଉଥିବା ବେଳେ ମୁଦ୍ରାସ୍ଫୀତି ବଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ, ଘରୋଇ ମାର୍କେଟରେ ଅନୁଭୂତ ହୋଇଛି । ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦାମ ଏବେ ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି । ତେବେ ପରିସ୍ଥିତି ପାଇଁ ଆମେରିକାକୁ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତୈଳ ଦର ନିୟନ୍ତ୍ରଣ ପାଇଁ ସରକାର ଚିନ୍ତା କରୁଥିବା ସେ କହିଛନ୍ତି ।
ବିମୁଦ୍ରୀକରଣକୁ ନେଇ ସରକାର ନିଜ ଛାତି ନିଜେ ବାଡ଼ାଉଥିବା ବେଳେ ବିରୋଧୀ କିନ୍ତୁ ସମାଲୋଚନା କରି ଚାଲିଛନ୍ତି । ମୋଦି ସରକାରର ଆର୍ଥିକ ନୀତିକୁ ସିଧାସଳଖ ଦାୟୀ କରୁଛନ୍ତି ବିରୋଧୀ । ଯାହା ଟଙ୍କା ଅବମୂଲ୍ୟାୟନ ଏକ ପ୍ରକାର ପ୍ରମାଣିତ କରିଦେଉଛି ।

   Related Posts