ରାସ୍ତା ଉପରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍, ଡ୍ରାଇଭର ଗୁରୁତର
12/07/2019 at 10:07 AM

କେନ୍ଦ୍ରାପଡା ୧୨|୭: ଜଳିଗଲା କୋଇଲା ବୋଝେଇ ଟ୍ରକ୍ | କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପୋଲ ଉପରେ ଗୁରୁବାର ରାତିରେ ଘଟିଛି ଏହି ଅଘଟଣ | ପାରାଦୀପରୁ କୋଇଲା ଭର୍ତ୍ତି କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏହି ଟ୍ରକ୍ ଟି ଜାତୀୟ ରାଜପଥର ଶ୍ୟାମସୁନ୍ଦରପୁର ପୋଲ ଉପରେ ହଠାତ୍ ନିଆଁ ଲାଗିଯାଇଥିଲା | ଟ୍ରକ୍ ଟି ହୁତୁ ହୁତୁ ଜଳୁଥିବାର ଦେଖି ଆଖାପାଖ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର କରିଥିଲେ | କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗ ର ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ | ତେବେ ଡ଼ିଜେଲ ଓ କୋଇଲା ସଂସ୍ପର୍ଶରେ ଆସି ଜଳୁଥିବା ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା | ଟ୍ରକ୍ ରେ ହେଲପର୍ ନଥିବା ବେଳେ ଡ୍ରାଇଭର୍ ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି | ଟ୍ରକ୍ ଟିର ନମ୍ବର ଓଡି୨୧ଜି୦୭୯୧ ବୋଲି ଜଣାପଡିଛି । ତେବେ ଟାୟାର୍ ଫାଟି ନିଆଁ ଲାଗିଥିବାର ମଧ୍ୟ ଅନୁମାନ କରାଯାଉଛି ।