ପାସେଞ୍ଜର ଟ୍ରେନ୍ ଚାଲିବାକୁ ହୋଇପାରେ ବିଳମ୍ବ ! ଜାଣନ୍ତୁ କାହିଁକି
24/01/2021 at 10:28 PM

ନୂଆଦିଲ୍ଲୀ ୨୪।୧: ଦେଶରେ କୋଭିଡ ଟିକାକରଣ ଆରମ୍ଭ ହୋଇଗଲାଣି। ସେହିପରି ସଂକ୍ରମଣ ହାର ମଧ୍ୟ କ୍ରମଶଃ ହ୍ରାସ ପାଉଛି। ଅନଲକ୍ ରେ ସରକାର ଏପର୍ଯ୍ୟନ୍ତ ବନ୍ଦ କରିଥିବା ସମସ୍ତ ସଂସ୍ଥାନ ଖୋଲିସାରିଲେଣି। ତେବେ ରେଳବାଇ ଏପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ସେବା ଆରମ୍ଭ କରିପାରିନାହାନ୍ତି। ଏଥିରେ ଆହୁରି ବିଳମ୍ବ ହୋଇପାରେ ବୋଲି ଏବେ ଅନୁମାନ କରାଯାଉଛି।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପୂର୍ବ ଭଳି ସ୍ୱଭାବିକ ଟ୍ରେନ୍ ସେବା ଲାଗି ରେଳବାଇ ଲାଗାତାର ରାଜ୍ୟ ସରକାରମାନଙ୍କ ସହ ସମ୍ପର୍କରେ ଅଛନ୍ତି। ଏଥିଲାଗି ସରକାରଙ୍କ ଅନୁମତି ମିଳିବାମାତ୍ରେ ଦେଶରେ ପାସେଞ୍ଜର ଟ୍ରେନ ସେବା ପୁଣି ଆରମ୍ଭ ହୋଇଯିବ ବୋଲି କୁହାଯାଇଛି। ରାଜ୍ୟ ସରକାରମାନେ ଯେଉଁ ସହରାଞ୍ଚଳରେ କରୋନା ସଂକ୍ରମଣସଂଖ୍ୟା ହ୍ରସ ହେଉଛି ସେଠାରେ ଟ୍ରେନ ସେବା ଆରମ୍ଭ କରାଯାଉ ବୋଲି କହିଛନ୍ତି। ତେବେ ବଡବଡ ସହରାଞ୍ଚଳରେ ଏବେବି ସଂକ୍ରମଣ ଜାରି ରହିବା ଏ କ୍ଷେତ୍ରରେ ବାଧକ ହୋଇଛି।

ଯାତ୍ରୀଙ୍କ ସମସ୍ୟାକୁ ଧ୍ୟାନରେ ରଖି ରେଳବାଇ ଲୋକାଲ ଟ୍ରେନ ସେବା ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ଚାହାନ୍ତି। ଏବେ ରେଳବାଇ ମାତ୍ର ୬୫ ପ୍ରତିଶତ ଟ୍ରେନ ସେବା ବହାଲ କରିଛନ୍ତି। ଧିରେ ଧିରେ ଲୋକାଲ ଓ ସବଅର୍ବାନ ଟ୍ରେନ ସେବା ଆରମ୍ଭ ହେବା ସହ ସବୁ ଟ୍ରେନ ପୁଣି ସ୍ୱଭାବିକ ଚଳାଚଳ କରିବ ବୋଲି ରେଳବାଇ ଅଧିକାରୀ କହିଛନ୍ତି।

ଏବେ ରେଳବାଇ ପ୍ରତିମାସରେ ୧୦୦ ଟ୍ରେନ ସେବା ଆରମ୍ଭ କରୁଛନ୍ତି। ଏଥିରେ ଶତପ୍ରତିଶତ ଟ୍ରେନ ସେବା ଲାଗି ହୁଏତ ମାର୍ଚ୍ଚ ସୁଧା ସମ୍ଭବ ହୋଇପାରିବ ବୋଲି ଆକଳନ କରାଯାଉଛି। ସେପଟେ କରୋନା ଯୋଗୁ ରେଳବାଇ ସୀମିତ ସଂଖ୍ୟକ ଯାତ୍ରୀଙ୍କୁ ନେଇ ରେଳ ସେବା ଚଳାଇଛନ୍ତି। ଏଥିରେ ରେଳବାଇଙ୍କ ବିପୁଳ ରାଜସ୍ୱ କ୍ଷତି ହେଉଛି। ରେଳବାଇଙ୍କ ଯାତ୍ରୀ ରେଳ ସେବା ଆୟ ଅନୁନ୍ୟ ୮୭ ପ୍ରତିଶତ ହ୍ରାସ ହୋଇଛି। ଏଣୁ କ୍ଷତିଭରଣା ଲାଗି ମାଲ ପରିବହନ ଉପରେ ପ୍ରାଧାନ୍ୟ ଦେଉଛନ୍ତି।