ସୁଶାନ୍ତଙ୍କ ପରଲୋକରେ ତାଙ୍କ ପୋଷା କୁକୁର ମୃତ୍ୟୁ ଖବର ମିଛ, ଗୁଜବ୍ ଉପରେ ବ୍ରେକ୍ ଲଗାଇଲେ ସାଙ୍ଗ

Published By : Prameya-News7 Bureau | June 22, 2020 IST

ମୁମ୍ବାଇ ୨୨।୦୬: ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟାର କାରଣ ଏବେ ମଧ୍ୟ ପ୍ରହେଳିକା ହୋଇ ରହିଛି। କେଉଁ କାରଣ ପାଇଁ ସୁଶାନ୍ତ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଲେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରକାରର ଖବର ସାମ୍ନାକୁ ଆସୁଛି। ଏହା ମଧ୍ୟରେ ଫେକ୍‌ ଖବର ମଧ୍ୟ ଆସୁଛି। ଯେମିତି ସୁଶାନ୍ତଙ୍କ ମୃତ୍ୟୁର ଦୁଃଖ ସହିନପାରି ତାଙ୍କ ପୋଷା କୁକୁରର ମଧ୍ୟ ମୃତ୍ୟୁ ଘଟିଛି। ସୁଶାନ୍ତଙ୍କ ପରଲୋକ ପରେ ଏକ ଗୁଜବ ପ୍ରଚାରିତ ହୋଇଥିଲା ଯେ, ତାଙ୍କ ପାଳିତ କୁକୁର ଫଜ୍ ସୁଶାନ୍ତଙ୍କୁ ଝୁରିଝୁରି ଶେଷରେ ପ୍ରାଣ ହରାଇଛି। ଏହି ଗୁଜବ ମଧ୍ୟରେ ସୁଶାନ୍ତଙ୍କ ଜଣେ ସାଙ୍ଗ କୁକୁର ଫଜ୍ ସହିତ ଏକ ଫଟୋ ସେୟାର କରିଛନ୍ତି। ଏହା ପରେ ସ୍ପଷ୍ଟ ହୋଇଛି ଯେ, କୁକୁରକୁ ନେଇ ସାମାଜିକ ଗଣମାଧ୍ୟମରେ ଯାହା ଭାଇରାଲ୍ ହେଉଥିଲା ତାହା ମିଛ। କେବଳ ଫଜ୍ ନୁହେଁ ସୁଶାନ୍ତଙ୍କ ସମସ୍ତ ୪ କୁକୁର ସୁସ୍ଥ ଥିବା ଏବଂ ଘରେ ଭଲରେ ଥିବା ଜଣା ପଡିଛି।

ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଭାଇରାଲ୍ ହୋଇଥିଲା। ଯେଉଁଥିରେ କୁକୁର ସୋଫାରେ ଶୋଇ ରହିଛି। ମାତ୍ର କୁହାଗଲା ଯେ, ସୁଶାନ୍ତଙ୍କ ଚାଲି ଯିବା ଦୁଖରେ ପାଳିତ କୁକୁର ଫଜ୍‌ର ମୃତ୍ୟୁ ଘଟିଛି। ଏହା ସ୍ପଷ୍ଟ ଯେ, ସୁଶାନ୍ତଙ୍କ ଚାଲିଯିବା ପରେ ଫଜ୍ ଖାନା ବନ୍ଦ କରି ଦେଇଥିଲା। ଗୋଟିଏ କୋଣରେ ପଡି ରହିଥିଲା। ମାଲିକ ଚାଲିଯିବାର ଦୁଃଖକୁ ସହ୍ୟ କରି ପାରିନଥିଲା। ଏବେ ତାଙ୍କ ସାଙ୍ଗ ଫଜ୍‌ ସହିତ ଫଟୋ ସେୟାର କରି ଏହି ସବୁ ଗୁଜବ ଉପରେ ବିରାମ ଲଗାଇଛନ୍ତି।

{"id":290201,"sizeSlug":"large"}

ସୁଶାନ୍ତ ନିଜ ପୋଷା କୁକୁର ଫଜ୍ ସହିତ ଅନେକ ଫଟୋ ଏବଂ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ। ଏଥିରୁ ଜଣା ପଡୁଛି ଯେ, ଉଭୟ  ପରସ୍ପରର କେତେ ନିକଟତର ଥିଲେ। ଏବେ ତାଙ୍କ ପ୍ରଶଂସକ ଫଜ୍‌ ସହିତ ସୁଶାନ୍ତଙ୍କ ଫଟୋ ଏବଂ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ  ଜୁନ ୧୪ରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କର ନିଧନ ବଲିଉଡ ସହିତ ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ସୁଶାନ୍ତ ମାନସିକ ଚିନ୍ତାରେ ଥିବା କୁହାଯାଉଥିଲା। ବଲିଉଡର ପ୍ରୀୟାପ୍ରୀତି ତୋଷଣର ଶିକାର ହୋଇ ସୁଶାନ୍ତଙ୍କୁ ଗତ ୬ ମାସରେ ୭ଟି ଫିଲ୍ମରୁ କଢା ଯାଇଥିବା କୁହାଯାଉଛି। ଏଥିରେ ମର୍ମାହତ ହୋଇ ସୁଶାନ୍ତ ଆତ୍ମହତ୍ୟା କରିଥିବା ବଲିଉଡରେ ଅନେକ ବ୍ୟକ୍ତି କହୁଛନ୍ତି। ସଂପ୍ରତି ମୁମ୍ବାଇ ପୋଲିସ୍ ବଲିଉଡରେ ପାରସ୍ପରିକ ଶତ୍ରୁତା ଦିଗକୁ ନେଇ ମଧ୍ୟ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.