୩ରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା: ଦିନକୁ ୧୫ରୁ ୧୭ ହଜାର ଭକ୍ତ ଶ୍ରୀଜୀଉଁଙ୍କୁ କରି ପାରିବେ ଦର୍ଶନ
1/01/2021 at 7:26 PM

ପୁରୀ୧/୧: ଆସନ୍ତା ୩ ତାରିଖରୁ ଲାଗୁ ହେବ ମହାପ୍ରଭୁଙ୍କ ନୂଆ ଦର୍ଶନ ବ୍ୟବସ୍ଥା। ଦିନକୁ ୧୫ରୁ ୧୭ ହଜାର ଭକ୍ତ ଶ୍ରୀଜୀଉଁଙ୍କୁ ଦର୍ଶନ କରି ପାରିବେ। ଏହା ପୂର୍ବରୁ ୫ ହଜାର ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଅନୁମତି ରହିଥିଲା। ପୁଣି ଏହି ନିୟମରେ ପରିବର୍ତ୍ତନ କରାଯାଇଛି। କୋଭିଡ୍ କଟକଣା ଭିତରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଭକ୍ତଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ନିହାତି ଆବଶ୍ୟକ। ଆସନ୍ତା ୩ ତାରିଖରୁ ସାଧାରଣ ଲୋକେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ କୁମାର ସୂଚନା ଦେଇଛନ୍ତି।
ପୂର୍ବରୁ ଜାରି ହୋଇଥିବା ନିୟମ ମୁତାବକ, ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସେବାୟତଙ୍କୁ ଅନୁମତି ମିଳିଥିଲା। ପରବର୍ତ୍ତୀ ସମୟରେ ପୁରୀ ପ୍ରଶାସନର ନିଷ୍ପତ୍ତି କ୍ରମେ ପୁରୀବାସୀଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିଲା। ଓ୍ବାର୍ଡ ଓ୍ବାରୀ ତାଲିକା ପ୍ରସ୍ତୁତ ହୋଇଥିଲା। ସେହି ଅନୁସାରେ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଏହି ସମୟରେ ବିନା ଅନୁମତିରେ ୪ ଜଣ ମହିଳା ସ୍ବାସ୍ଥ୍ୟକର୍ମୀ ମନ୍ଦିର ଭିତରକୁ ପ୍ରବେଶ କରି ବେଶ ଚର୍ଚ୍ଚା ମଧ୍ୟ ଥିଲେ। ପରେ ଏହି ୪ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଚାକିରୀକୁ ବହିଷ୍କୃତ କରାଯାଇଥିଲା।