ଶପଥ ଗ୍ରହଣ ଲାଗି AIMIM ବିଧାୟକଙ୍କ ଯୁକ୍ତିକୁ ନେଇ ବିହାର ବିଧାନସଭାରେ ହଙ୍ଗାମା, କହିଲେ ତୁଣ୍ଡରେ ଧରିବେନି ‘ହିନ୍ଦୁସ୍ଥାନ’ ନାମ !
23/11/2020 at 8:02 PM

ପାଟନା ୨୩।୧୧: ଅଲ ଇଣ୍ଡିଆ ମଜଲିସ୍- ଏ- ଇତ୍ତେହାଦୁଲ ମୁସ୍ଲିମିନ୍(ଏଆଇଏମଆଇଏମ) ବିଧାୟକ ଅଖତରୁଲ ଇମାନ ସୋମବାର ବିହାର ବିଧାନସଭାରେ ଅନୁଷ୍ଠିତ ଶପଥ ପାଠ ଉତ୍ସବରେ ‘ହିନ୍ଦୁସ୍ଥାନ’ ଶବ୍ଦକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛନ୍ତି। ସେ ଶପଥ ପାଠ ଲାଗି ପ୍ରସ୍ତୁତ ପତ୍ରରେ ହିନ୍ଦୁସ୍ଥାନ ଜାଗାରେ ‘ଭାରତ’ ଶବ୍ଦର ବ୍ୟବହାର ଲାଗି ଦାବି କରିଥିଲେ। ଯାହାକୁ ନେଇ ଗୃହରେ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଅସଦଉଦ୍ଦିନ ଓୱେସୀଙ୍କ ପାର୍ଟିର ଏହି ବିଧାୟକଙ୍କ ଏପରି ତର୍କକୁ ନେଇ ଗୃହରେ ବିଜେପି ବିଧାୟକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସୋମବାରଠାରୁ ରାଜ୍ୟରେ ସପ୍ତଦଶତମ ବିଧାନସଭା ଆରମ୍ଭ ହୋଇଛି। ଏଥିଲାଗି ବିଧାନସଭାରେ ବିଧାୟକଙ୍କ ଶପଥପାଠ କରାଯାଇଥିଲା। ପ୍ରୋଟେମ ସ୍ପିକର ବିଧାୟକଙ୍କୁ ଶପଥ ପାଠ କରାଇବା ବେଳେ ଏଆଇଏମଆଇଏମ ବିଧାୟକ ଅଖତରୁଲ ଇମାନ୍ ଊର୍ଦ୍ଦୁରେ ଶପଥ କରିବେ ବୋଲି କହିଥିଲେ। ଏଥିଲାଗି ତାଙ୍କ ପାଇଁ ଊର୍ଦ୍ଦୁରେ ସ୍ୱତନ୍ତ୍ର ଶପଥପତ୍ର ପ୍ରସ୍ତୁତ କରାଯାଇଥିଲା।
ଊର୍ଦ୍ଦୁରେ ଶପଥପତ୍ର ଅନୁବାଦରେ ଭାରତକୁ ହିନ୍ଦୁସ୍ଥାନ ଉଲ୍ଲେଖ ଥିଲା। ଏଥିରେ ମଧ୍ୟ ସେ ଆପତ୍ତି କରିଥିଲେ। ସେ ସମ୍ବିଧାନ ଅନୁସାରେ ଶପଥ ପାଠ କରିବେ ବୋଲି କହିଥିଲେ। ଭାରତୀୟ ସମ୍ବିଧାନର ସେ ଶପଥ ନେବାକୁ ଚାହାଁନ୍ତି ହିନ୍ଦୁସ୍ଥାନ ସମ୍ବିଧାନର ନୁହେଁ ବୋଲି ବାଚସ୍ପତିଙ୍କୁ କହିଥିଲେ। ଏହାର ଜବାବରେ ପ୍ରୋଟେମ ସ୍ପିକର ଜିତେନରାମ ମାଁଝୀ ଏହା ପ୍ରଥମ ଥର ହେଉ ନାହିଁ ବୋଲି କହିଥିଲେ। ସେ କହିଥିଲେ ଏହାହିଁ ପରମ୍ପରା ଓ ହିନ୍ଦୁସ୍ଥାନ ଶବ୍ଦର ପ୍ରୟୋଗ ପ୍ରଥମରୁ ହୋଇ ଆସୁଛି। ହେଲେ ସ୍ପିକରଙ୍କ କଥାର ପ୍ରଭାବ ବିଧାୟକଙ୍କ ଉପରେ ପଡିନଥିଲା।
ଏହାକୁ ନେଇ ବିଜେପି ବିଧାୟକ ପ୍ରମୋଦ କୁମାର ଆପତ୍ତି କରିବା ସହ ଦେଶର ଦୁର୍ଭାଗ୍ୟ ଜନନେତା ହିନ୍ଦୁସ୍ଥାନ ନାମ ଉଚ୍ଚାରଣ କରିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି ବୋଲି କହିଥିଲେ। ସେହିପରି କଂଗ୍ରେସ ବିଧାୟକ ଆନନ୍ଦ ଶଙ୍କର ହିନ୍ଦୁସ୍ଥାନ କହିବାକୁ ବିରୋଧ ଉଚିତ ନୁହେଁ ବୋଲି କହିଥିଲେ। ତେବେ ଆଲୋଚନା ଗରମାଗରମ ହେବା ସହ ବିଧାୟକ ନିରଜ କୁମାର ପ୍ରସଙ୍ଗରେ ଅତ୍ୟାଧିକ ଉତକ୍ଷିପ୍ତ ହୋଇ ଯିଏ ହିନ୍ଦୁସ୍ଥାନ ଉଚ୍ଚାରଣ କରିବାକୁ ପସନ୍ଦ କରୁନାହାନ୍ତି ସେ ପାକିସ୍ତାନ ଚାଲିଯିବା ଦରକାର ବୋଲି କହିବାକୁ ପଛେଇ ନଥିଲେ।