କୋଭିଡ ରୋଗୀଙ୍କ ପରିବାରକୁ ମ୍ୟାକ୍ସ ହସ୍ପିଟାଲ ଧରାଇଲେ କୋଟିଏ ୬୦ଲକ୍ଷର ବିଲ୍, ଜାଣନ୍ତୁ କହିଲେ କ’ଣ ?

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ ୯।୯ : ରାଜଧାନୀ ଦିଲ୍ଲୀରେ ଘରୋଇ ହସ୍ପିଟାଲଙ୍କ ମନମୁଖି କାରବାର ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦିଲ୍ଲୀ ସାକେତସ୍ଥିତ ମ୍ୟାକ୍ସ ହସ୍ପିଟାଲ ଜନୈକ କୋଭିଡ ଆକ୍ରାନ୍ତଙ୍କ ପରିବାରଙ୍କୁ କୋଟିଏ ୬୦ଲକ୍ଷ ଟଙ୍କାର ବିଲ ଧରାଇଛନ୍ତି। ଯାହାକୁ ନେଇ ଜାତୀୟ ରାଜଧାନୀରେ ଏବେ କଂଗ୍ରେସ ଓ ଆମଆଦମୀ ପାର୍ଟି ପ୍ରାଇଭେଟ ହସ୍ପିଟାଲ ରେଗୁଲେଟରୀ ଦାବି ଉଠାଇଛନ୍ତି। କରୋନାରେ ଆକ୍ରାନ୍ତ ହେବା ଯୋଗୁ ରୋଗୀଙ୍କୁ ଏପ୍ରିଲ ୨୮ ତାରିଖ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେପ୍ଟେମ୍ବର ୬ ତାରିଖରେ ଡିଶ୍ଚାର୍ଯ ବେଳକୁ କୋଟିଏ ୬୦ ଲକ୍ଷ ଟଙ୍କାର ବିଲ ଧରାଇଛି ମେଡିକାଲ।

ହସ୍ପିଟାଲର ଡିଶ୍ଚାର୍ଯ ବିଲ ନେଇ ପରିବାର ଲୋକେ ମଲବୀୟ ନଗର ବିଧାୟକ ସୋମନାଥ ଭାରତୀଙ୍କୁ ଭେଟିଥିଲେ। ଭାରତୀ ନିଜେ ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଥିବା ବେଳେ ରୋଗୀଙ୍କ ଜୀବନ ବଞ୍ଚାଇ ଦେଇଛୁ ଏହା ବଡ଼ କଥା ନୁହେଁ କି ବୋଲି କହିଛନ୍ତି। ତେବେ ଏତେ ମୋଟାରକମର ବିଲ କେହି ଦେଇପାରିବ କି ବୋଲି ଭାରତୀ ପଚାରିବାରୁ ତାଙ୍କର ଇକମୋ ଟ୍ରିଟମେଣ୍ଟ ହୋଇଥିବାର କହିଛନ୍ତି। ଏଥିରେ ଭାରତୀ ଯେଉଁ ସବୁ କୋଭିଡ ରୋଗୀ ଚିକିତ୍ସିତ ହେଉଥିବା ବେଳେ ମ୍ୟାକ୍ସ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି ସେମାନଙ୍କର କ୍ଷତିପୂରଣ ଦେବେକି ବୋଲି ଭାରତୀ ପଚାରିବାରୁ କର୍ତ୍ତୃପକ୍ଷ କଥା ବୁଲାଉଥିବା କହିଛନ୍ତି।

ଯେତେବେଳେ କୌଣସି ବ୍ୟକ୍ତି ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି ସେତେବେଳେ ଚିକିତ୍ସା ଲାଗି ତାଙ୍କ ପରିଜନ ଖର୍ଚ୍ଚକୁ ପରବାୟ କରନ୍ତିନି। ଏହାର ଅର୍ଥ ନୁହେଁ ହସ୍ପିଟାଲ କର୍ତ୍ତୃପକ୍ଷ କାହାକୁ ଇମୋସନାଲ ବ୍ଲାକମେଲିଂ କରିବେ ବୋଲି ସୋମନାଥ ଭାରତୀ କହିଛନ୍ତି। କୌଣସି ହସ୍ପିଟାଲ ଏପରି ବିଲ ଦାବି କରିବା ଏକ ବହୁତ ବଡକଥା ଓ ନିନ୍ଦନୀୟ ବୋଲି ଭାରତୀ କହିଛନ୍ତି। ଏ ନେଇ ଭାରତୀ ସ୍ୱାସ୍ଥ୍ୟମନ୍ତ୍ରୀ ଓ ମନିଷ ତିୱାରୀଙ୍କୁ ମଧ୍ୟ କହିଛନ୍ତି। ସେମାନେ ମଧ୍ୟ ମାମଲାରେ ଆଶ୍ଚର୍ଯ୍ୟବ୍ୟକ୍ତ କରିବା ସହ ଯାଞ୍ଚ ହେବା ଦରକାର ବୋଲି କହିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ୫୨ ଦିନ ପର୍ଯ୍ୟନ୍ତ ରୋଗୀଙ୍କ ଠାରେ ଇକମୋ ଉପଯୋଗ କରିଥିବାର ବିଲରେ ସୂଚିତ କରିଛନ୍ତି। ତେବେ ସାଧାରଣରେ କାହାକୁ ୨୮ ଦିନ ପର୍ଯ୍ୟନ୍ତ ଇକମୋରେ ରହିପାରିବେ। ଏଥିରେ ରୋଗୀ ୫୨ ଦିନ ପରେ ବି ଜୀବିତ ରହିବା ବାସ୍ତବିକ ବଡ କଥା ବୋଲି ସୋମନାଥ ଭାରତୀ କହିଛନ୍ତି। ଏଣୁ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା ଯାଞ୍ଚ ଲାଗି ଦାବି କରିଛନ୍ତି। କଂଗ୍ରେସ ସାଂସଦ ମନିଷ ତିୱାରୀ ମାମଲାରେ ଏପରି ହସ୍ପିଟାଲଙ୍କ ଲାଗି ତୁରନ୍ତ ଦେଶରେ ରେଗୁଲେଟରୀ ସ୍ଥାପନା ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.