Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିହାର: କଂଗ୍ରେସ ବିଧାୟକ ଦଳ ବୈଠକରେ ଲଙ୍କାକାଣ୍ଡ, ନିଜନିଜ ମଧ୍ୟରେ ନିସ୍ତୁକ ପିଟାପିଟି ହେଲେ ବିଧାୟକ

13/11/2020 at 4:17 PM

ପାଟନା ୧୩।୧୧: ବିହାର କଂଗ୍ରେସ ବିଧାୟକ ଦଲ ବୈଠକରେ ଲଙ୍କାକାଣ୍ଡ। ନବନିର୍ବାଚିତ ବିଧାୟକଙ୍କ ପ୍ରଥମ ବୈଠକରେ ସାମାନ୍ୟ କଥାକୁ ନେଇ ବଚସା ଓ ଏଥରୁ ମାରପିଟ ହୋଇଥିବା ସୂଚନା ମିଳୁଛି। ବିଧାୟକମାନେ ଦଳର ନେତା ଚୟନ ଲାଗି ବୈଠକରେ ଏକତ୍ରିତ ହୋଇଥିବା ବେଳେ ଏଭଳି ଅଭାବନୀୟ କାଣ୍ଡ ଘଟିଛି। ନିଜନିଜ ମଧ୍ୟରେ ବିଧାୟକମାନେ ନିସ୍ତୁକ ମାରପିଟ ହୋଇଛନ୍ତି। 

ମିଳୁଥିବା ସୂଚନାରୁ ବୈଠକ ଆରମ୍ଭ ହୋଇଥିବା ବେଳେ ଏପରି କାଣ୍ଡ ହୋଇଛି। ବିଧାୟକ ବିଜୟ ଶଙ୍କର ଦୁବେଙ୍କୁ ଗହଳି ଭିତରେ କିଏ ଚୋର କହିଦେଇଥିଲା। ଏଥିରେ ବିଧାୟକ ଦୁଇ ଦଳରେ ବାଣ୍ଟି ହୋଇ ପରସ୍ପର ଉପରେ ଆକ୍ରମଣ କରିଦେଇଥିଲେ। ଦେଖୁ ଦେଖୁ ବୈଠକ ସ୍ଥଳ ରଣକ୍ଷେତ୍ରରେ ପରିଣତ ହୋଇଥିଲା।

କୁହାଯାଉଛି ବିଜୟ ଶଙ୍କର ଦୁବେ ଓ ସିଦ୍ଧାର୍ଥ ବୈଠକରେ ବିଧାୟକ ଦଳ ନେତାଙ୍କ ନାମ ପ୍ରସ୍ତାବ କରିବାର ଥିଲା। ଏହାକୁ ନେଇ ବିଧାୟକମାନେ ଦୁଇ ଗୋଷ୍ଠୀରେ ବିଭାଜିତ ହେବା ସହ ପରସ୍ପରକୁ ଆକ୍ରମଣ କରିଛନ୍ତି। ବିହାର ବିଧାନସଭାରେ କଂଗ୍ରେସ ଆଶାଜନକ ପ୍ରଦର୍ଶନ କରିପାରିନାହିଁ। ଦଳର ଅନେକ ପ୍ରର୍ଥୀ ହାରି ଯାଇଥିବା ବେଳେ ନିର୍ବାଚନ ଫଳାଫଳ ଆସିବା ପରଠାରୁ ଦଳରେ ନୀତି କଳି ଲାଗୁଥିବା ଜଣାପଡିଛି।

କଂଗ୍ରେସ ନେତାମାନେ ଦଳରେ ଟିକେଟ୍‌ ବିକ୍ରି ହୋଇଥିବାର ଅଭିଯୋଗ କରୁଛନ୍ତି। ଦଳ ରାଜ୍ୟର ୭୦ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କୁ ଛିଡା କରିଥିଲା। ତେବେ ମାତ୍ର ୧୭ ଜଣ ବିଧ୍ୟାକ ନିର୍ବାଚିତ ହୋଇଛନ୍ତି। ଗୁରୁବାର ତାରିଖ ଅନୱର ବିହାର କଂଗ୍ରେସ ନେତୃତ୍ୱଙ୍କ ପ୍ରତି ଅଙ୍ଗୁଳି ଉଠାଇଥିଲେ। ରାଜ୍ୟରେ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ଜରୁରି ବୋଲି ସେ କହିଥିଲେ।  

ଅଜିତ ଶର୍ମା ହେଲେ କଂଗ୍ରେସ ବିଧାୟକ ଦଳ ନେତା
ତେବେ ପରେ ଅନୁଷ୍ଠିତ ବୈଠକରେ ଭାଗଲପୁରରୁ ନିର୍ବାଚିତ ଅଜିତ ଶର୍ମାଙ୍କୁ ସର୍ବ ସମ୍ମତି କ୍ରମେ ବିଧାୟକ ଦଳର ନେତା ମନୋନୟନ କରାଯାଇଥିବା ଜଣାପଡିଛି। ହାଇ କମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରି ଅଜିତ ଶର୍ମାଙ୍କୁ ନେତା ମନୋନୟନ କରାଯାଇଥିବା ଜଣାପଡିଛି। ସେହିପରି ଏମଏଲଏ ଅଫାକ ଆଲମ ବିଧାୟକ ଦଳର ଉପନେତା ହୋଇଥିବା ବେଳେ ରାଜେଶ କୁମାର ରାମଙ୍କୁ ମୁଖ୍ୟ ସଚେତକ ମନୋନୀତ କରାଯାଇଛି।

   Related Posts