ରୁବିୟା ସଇଦ ଅପହରଣ ଏବଂ ଏୟାରଫୋର୍ସ କର୍ମଚାରୀଙ୍କ ମୃତ୍ୟୁ ମାମଲା: କୋର୍ଟରେ ହାଜର ହେଲେ ନାହିଁ ୟାସିନ ମଲିକ

Published By : Prameya-News7 Bureau | October 02, 2019 IST

ଜାମ୍ମୁ ୨/୧୦: ବହୁଚର୍ଚ୍ଚିତ ରୁବିୟା ସଇଦ ଅପହରଣ କାଣ୍ଡ ଏବଂ ଏୟାରଫୋର୍ସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଜଡ଼ିତ ଥିବା ୟାସିନ ମଲିକ ପୁଣି ଥରେ ଟାଡା କୋର୍ଟ​‌ରେ ହାଜର ହେଲେ ନାହିଁ। ଏଥିପାଇଁ ଏହି ମାମଲାର ଶୁଣାଣି ଅକ୍ଟୋବର ୨୩ତାରିଖକୁ ସ୍ଥଗିତ କରି ଦିଆଯାଇଛି। ଟାଡା କୋର୍ଟ ତିହାର ଜେଲର ମୁଖ୍ୟଙ୍କୁ ଆଦେଶ ଦେଇଛନ୍ତି ଯେ ଆସନ୍ତା ୨୩ତାରିଖରେ ୟାସିନ ମଲିକଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟ ସାମନାରେ ହାଜର କରାଯିବ। ଏହା ସହିତ ଏହି ମାମଲାରେ ସଂଶ୍ଲିଷ୍ଟ ଥିବା ଶୌକତ ବଖ୍ଶୀ ଏବଂ ଜାଭେଦ ମୀରଙ୍କ ବିରୋଧରେ ମଧ୍ୟ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। ଏହି ଦୁଇ ଜଣ ମଧ୍ୟ କୋର୍ଟରେ ହାଜର ହୋଇନାହାନ୍ତି। ଏହି ଦୁଇଜଣଙ୍କୁ ମଧ୍ୟ ଉକ୍ତ ଦିନ କୋର୍ଟରେ ଯେ କୌଣସି ପରିସ୍ଥିତିରେ ହାଜର ହେବାକୁ କୁହାଯାଇଛି।

ଏହି ମାମଲାରେ ସଂଶ୍ଲିଷ୍ଟ ଥିବା ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଅଲି ମହମ୍ମଦ ମୀର,ମହମ୍ମଦ ରଫିକ୍,ମଞ୍ଜୁର ଅହମଦ ସୋଫି ନିଜ ଓକିଲଙ୍କ ସହ କୋର୍ଟରେ ଉପସ୍ଥିତ ଥିଲେ। କିନ୍ତୁ ଶୌକତ ଏବଂ ଜାଭେଦ କୋର୍ଟରେ ହାଜର ହୋଇନଥିଲେ। ୟାସିନ ମଲିକଙ୍କୁ ମଧ୍ୟ ତିହାର ଜେଲ ତରଫରୁ ହାଜର କରାଯାଇନଥିଲା। ୬ମାସ ପୂର୍ବରୁ ୟାସିନଙ୍କୁ କୋର୍ଟରେ ହାଜର କରାଯିବାର ଥିଲା।

୧୯୮୯ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫ୍ତି ମହମ୍ମଦ ସଇଦଙ୍କ ଝିଅ ରୁବିୟା ସଇଦଙ୍କୁ ଅପହରଣ ଏବଂ ଏୟାରଫୋର୍ସ କର୍ମଚାରୀଙ୍କୁ ହତ୍ୟା ମାମଲାରେ ୟାସିନ ମଲିକଙ୍କ ସମ୍ପୃକ୍ତି ରହିଛି। ୟାସିନ ମଲିକଙ୍କୁ କିଛି ମାସ ତଳେ ଏନଆଇଏ ଗିରଫ କରିଛି। ସେ ଅନ୍ୟ ଏକ ମାମଲାରେ ତିହାର ଜେଲରେ ବନ୍ଦୀ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.