RTPCR ଟେଷ୍ଟ ରିପୋର୍ଟ ନଥିଲେ ପ୍ରବାସୀ ଓଡିଆ ରହିବେ ସଂଗରୋଧରେ : ମୁଖ୍ୟ ଶାସନ ସଚିବ

Published By : Prameya-News7 Bureau | April 10, 2021 IST

କଳାହାଣ୍ଡି ୧୦।୪: ଛତିଶଗଡ ଫେରନ୍ତା ରହିବେ ୭ ଦିନ ଆଇସୋଲେସନରେ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କୋଭିଡ୍‌ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ  ଛତିଶଗଡ ଫେରନ୍ତା ପଜିଟିଭ୍‌ ଥିଲେ ସପ୍ତାହେ ଆଇସୋଲେସନରେ ରହିବେ । ପଜିଟିଭ୍‌ ଥିବା ଫେରନ୍ତାଙ୍କୁ ଗାଁ ଭିତରକୁ ପୂରାଇ ଦିଆଯିବନି । ବାହାରେ ସପ୍ତାହେ ରହିବା ପରେ ଘରକୁ ଯିବାକୁ ଅନୁମତି ଦିଆଯିବ । ବର୍ଡର ଚେକ୍ ପୋଷ୍ଟରେ ବ୍ୟାପକ ଚେକିଂ ଉପରେ ଗୁରୁତ୍ବ ଦିଆଯିବ । ଲୋକଙ୍କ ଅଯଥା ଯାତାୟତ କମାଇବା ଉପରେ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ପ୍ରଥମେ ନୂଆପଡା ଗୋତମା ସ୍ଥିତ ଏୟାରଫିଲ୍ଡରେ ପହଞ୍ଚିବା ପରେ ସେଠାରୁ ସିଲଦା ସ୍ଥିତ କୋଭିଡ୍ ହସ୍ପିଟାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଟିକା ଉପରେ ଅନୁଧ୍ୟାନ କରିବା ସହ ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ କିଭଳି ସଫଳତାର ସହ ମହାମାରୀକୁ ଦୂରେଇ ଦିଆଯାଇପାରିବ ସେନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବାହାରୁ ଆସୁଥିବା ପ୍ରବାସୀ ଓଡିଆମାନେ ଆରଟିପିସିଆର ଟେଷ୍ଟ କରାଇ ଆସିବେ । ଯାହାର ନଥିବ ତାଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା କରାଯାଉଛି । ଆନ୍ତଃ ରାଜ୍ୟ ଟ୍ରେନ୍‌ଗୁଡିକ ବନ୍ଦ କରିବା ନିୟମ ରହି ନଥିବା ବେଳେ ପରୀକ୍ଷା ପରିମାଣକୁ ବଢାଇ ଦିଆଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏହାସହ ପଡୋଶୀ ଛତିଶଗଡରେ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ସୀମାନ୍ତବର୍ତ୍ତି ଜିଲ୍ଲାମାନଙ୍କରେ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ତାକୁ କିଭଳି ରୋକ ଲଗାଯାଇ ପାରିବ ସେନେଇ ଆଲୋଚନା କରାଯାଇଛି । କୋଭିଡ୍ କେୟାର ସେଣ୍ଟର ଓ ହସ୍ପିଟାଲ ଉପରେ ଆଲୋଚନା, କିଛି ଡାକ୍ତର କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଆଉ କିଛି ଯୋଗ ଦେବାର ଅଛି । ଦ୍ବିତୀୟ ଲହର ଭିତରେ ଆଜି ପର୍ଯ୍ୟନ୍ତ ୪୫୮ ଜଣ ସଂକ୍ରମିତ ରହିଥିବା ବେଳେ ତାଙ୍କ ମଧ୍ୟରୁ ୪୭ ଜଣ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ପାଖାପାଖି ୯୦ ପ୍ରତିଶତ ହୋମ୍ ଆଇସୋଲେସନରେ ରହିଥିବା ବେଳେ କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ ସେମାନଙ୍କ ସହ ପ୍ରତିଦିନ ଯୋଗାଯୋଗ କରିବା ସହ ତାଙ୍କୁ କିଟ୍ ଦେବା ସହ ପ୍ରତିଦିନ ସ୍ବାସ୍ଥ୍ୟାବସ୍ଥା କିଭଳି ରହିଛି ସେନେଇ ପଚାରି ବୁଝିବେ ଦାୟିତ୍ବରେ ଥିବା କର୍ମଚାରୀ । ପର୍ଯ୍ୟାପ୍ତ ପରିମାଣରେ ଜିଲ୍ଲାରେ ଔଷଧ ମହଜୁଦ ରହିଥିବା ବେଳେ ଟିକା ମଧ୍ୟ ପର୍ଯ୍ୟାୟ କ୍ରମେ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରଦିପ୍ତ ମହାପାତ୍ର । ତାଙ୍କ ସହ ଡିଏମଇଟି ଡଃ ସି.ବି.କେ. ମହାନ୍ତି ଓ ସ୍ବାସ୍ଥ୍ୟ ସଚିବ ବିଜୟ ମହାପାତ୍ର ଆସିଥିବା ବେଳେ ନୂଆପଡା ଜିଲ୍ଲାପାଳ ସ୍ବାଧାଦେବ ସିଂ ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କୋଭିଡ୍ ପରିଚାଳନାକୁ ନେଇ ଭବାନୀପାଟଣା କାମଠଣା ସ୍ଥିତ ଜିଏନଏମ ସେଣ୍ଟରଠାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ଡଃ ସି.ବି.କେ. ମହାନ୍ତି, ଡିଏଚଏସ ଡଃ ବିଜୟ ମହାପାତ୍ର ପ୍ରମୁଖ କଳାହାଣ୍ଡି ଜିଲ୍ଲାପାଳ ପରାଗ ହର୍ଷଦଙ୍କ ସହ ବରିଷ୍ଠ ଅଧିକାରୀ  ସମୀକ୍ଷା ବୈଠକ ଉପସ୍ଥିତ ରହିଥିଲେ।  କଳାହାଣ୍ଡି ଜିଲ୍ଲାର ପରିଚାଳନା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ।  ଆରଟିପିସିଆର ଟେଷ୍ଟ ଉପରେ ଗୁରୁତ୍ବ , ଆବଶ୍ୟକ ଭିତ୍ତିଭୂମୀ ଉପଲବ୍ଧକୁ ପ୍ରାଥମିକତା ଦିଆଯିବ । ଜିଲ୍ଲାକୁ ୧୦ ଜଣ ବିଶେଷଜ୍ଞ ଡାକ୍ତର କୋଭିଡ୍ ପରିଚାଳନା ପାଇଁ ନିଯୁକ୍ତି ଦିଆଯିବ। ଜିଲ୍ଲାକୁ ଗୋଟିଏ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସହ ନୂଆ କୋଭିଡ୍ ହସ୍ପିଟାଲରେ ୯୦ଟି ବେଡ୍ ସହ ୬ଟି ଆଇୟୁସି ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଥିଲେ।  ଛତିଶଗଡର ସୀମାନ୍ତ ଥିବାରୁ ସୀମାବର୍ତ୍ତି ଜିଲ୍ଲାକୁ ଫୋକସରେ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.