ଆରଟିଓ ଦଲାଲ ଗିରଫ : ଡ୍ରାଇଭିଂ ଲାଇସେନ୍ସ, ଆରସି ବୁକ୍ ଓ ନକଲି ଆରସି ବୁକ୍ ଜବତ
27/09/2019 at 5:02 PM

ଜୟପୁର ୨୭|୯: କୋରପୁଟ ଜିଲ୍ଲା ବୋରିଗୁମ୍ମା ପୋଲିସ ପକ୍ଷରୁ ଆଜି ଜଣେ ଆରଟିଓ ଦଲାଲକୁ ଗିରଫ କରିଥିବା ସହ ବହୁ କାଗଜପତ୍ର ମଧ୍ୟ ଜବତ ହୋଇଥିବା ନେଇ ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝି ଏକ ପ୍ରେସମିଟ୍ ଯୋଗେ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ମୋ ସରକାର ମାଧ୍ୟମରେ ସମସ୍ତ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରି ଲୋକଙ୍କୁ ସିଧାସଳଖ ସୁବିଧା ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି। ତାହାକୁ ଆଧାର କରି ବୋରିଗୁମ୍ମା ପୋଲିସ ତରଫରୁ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଗତକାଲି ସନ୍ଧ୍ୟାରେ ବୋରିଗୁମ୍ମା ନବରଙ୍ଗପୁର ରୋଡ୍ ସ୍ଥିତ ପାଇଲୁ କମ୍ପ୍ଲେକ୍ସରେ ଥିବା ଏକ ଆରଟିଓ ଦଲାଲଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଥିଲେ । ସେଠାରୁ ଅନେକ ଗାଡିକାଗଜ ପତ୍ର ସହ ୨୭ ଡ୍ରାଇଭିଂ ଲାଇସେନ୍ସ, ୮୩ଟି ଆରସି ବୁକ୍, ୨୫ଟି ନକଲ ଆରସି ବୁକ୍ ସହ ସମ୍ପୃକ୍ତ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦଲାଲ ଜଣକ ବୋରିଗୁମ୍ମାର ଶ୍ରୀନିବାସ ପଟ୍ଟନାୟକ । ସେ ଦୀର୍ଘ ବର୍ଷ ବର୍ଷ ଧରି ବୋରିଗୁମ୍ମାରେ ଏକ କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ଆରଟିଓ ନାଁରେ ଦଲାଲି କରି ଅନେକ ଲୋକଙ୍କୁ ଠକି ଆସୁଥିବାବେଳେ ତାଙ୍କ ନାମରେ ବୋରିଗୁମ୍ମା ଥାନାରେ ଠକେଇ ଅଭିଯୋଗ ହୋଇଥିଲା। ତାହାକୁ କେନ୍ଦ୍ର କରି ପୋଲିସ ତାଙ୍କୁ ଗିରଫ କରିଛି ଏବଂ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛି ପୋଲିସ।