ଡିଜିଟାଲ କାରବାର କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର, ସୋମବାର ଠାରୁ ଏହି ସୁବିଧାକୁ ୨୪ ଘଣ୍ଟିଆ ଉପଲବ୍ଧ କରିବ ଆରବିଆଇ
13/12/2020 at 3:20 PM

ନୂଆଦିଲ୍ଲୀ ୧୩/୧୨ : ଯଦି ଆପଣ ଡିଜିଟାଲ କାରବାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ସୋମବାର ଠାରୁ ୨୪ ଘଣ୍ଟିଆ RTGS ସୁବିଧା ଉପଲବ୍ଧ ହେବା ନେଇ ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ୍ । ଏହି ସେବା ଡିସେମ୍ବର ୧୪ ତାରିଖରୁ ରାତି ସାଢେ ୧୨ଟାରୁ ଗ୍ରାହକମାନଙ୍କ ପାଇଁ ୨୪ ଘଣ୍ଟିଆ ଉପଲବ୍ଧ ହେବ ।
ତେଣୁ ଆପଣ ଯେକୌଣସି ସମୟରେ ଏହି ସୁବିଧା ପାଇପାରିବେ । ଅନ୍ୟ ଦେଶମାନଙ୍କ ଭଳି ଭାରତରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ । ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଅନଲାଇନ କାରବାର ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି । ଯାହ ଫଳରେ ଆରବିଆଇ RTGS କାରବାରକୁ ୨୪ ଘଣ୍ଟିଆ କରାଇବାକୁ ନିଷ୍ପତ୍ତି ନେଇଛି । ଆରବିଆଇ ପୂର୍ବରୁ ଭାରତୀୟ ଅର୍ଥ ବଜାରର ଗ୍ଲୋବାଲ ଇଣ୍ଟିଗ୍ରେସନକୁ ସାହାରା ଦେବା ପାଇଁ RTGSର ଟାଇମିଂ ବଢାଇବାକୁ ନିଷ୍ପତ୍ତି ନେଇଥିଲା ।
ଡିଜିଟାଲ କାରବାର କରିବା ପାଇଁ RTGS ହେଉଛି ଏକ ପ୍ରମୁଖ ମାଧ୍ୟମ । ଏହା ସାହାଯ୍ୟରେ ବହୁତ କମ ସମୟ ମଧ୍ୟରେ ଟଙ୍କା ପଠା ଯାଇପାରିବ । ଏହାର ଉପଯୋଗ ପ୍ରାୟତଃ ଅଧିକ ଟଙ୍କା କାରବାରରେ ବ୍ୟବହାର ହୋଇଥାଏ । RTGS ମାଧ୍ୟମରେ ଅତିକମରେ ୨ ଲକ୍ଷ ଏବଂ ଅତିବେଶିରେ ୧୦ ଲକ୍ଷ ଟଙ୍କା ପଠାଇପାରିବେ ।
୨ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ଫଣ୍ଡ୍ ଟ୍ରାନ୍ସଫର କରିବା ପାଇଁ ଶୁଳ୍କ ବାବଦକୁ ୨୪.୫ ଟଙ୍କା ରଖିଛି ଆରବିଆଇ । ସେହିପରି ୫ ଲକ୍ଷ ଟଙ୍କାରୁ ଅଧିକ କାରବାର ଉପରେ ଶୁଳ୍କ ବାବଦକୁ ୪୯.୫ ଟଙ୍କା ରଖିଛି ଆରବିଆଇ । ତେବେ ଦେଶର ସବୁଠାରୁ ବଡ ବ୍ୟାଙ୍କ୍ ଏସବିଆଇ ବିନା ଶୁଳ୍କରେ ତାର ଗ୍ରାହକମାନଙ୍କୁ RTGS କାରବାର ଯୋଗାଇଦେଉଛି । ଏହା ପୂର୍ବରୁ ଆରବିଆଇ ଡିସେମ୍ବର ୨୦୧୯ରେ NEFT ସୁବିଧାକୁ ୨୪ ଘଣ୍ଟିଆ ଉପଲବ୍ଧ କରିଥିଲା ।