ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ, ନୂତନ ଗାଇଡ୍‌ଲାଇନ୍ ଜାରି

Published By : Prameya-News7 Bureau | October 20, 2021 IST

ନୂଆଦିଲ୍ଲୀ ୨୦।୧୦: କରୋନା ମହାମାରୀର ପ୍ରକୋପ ଏବେ ବି ଶେଷ ହୋଇ ନାହିଁ। ଏହା ମଧ୍ୟରେ  ଭାରତ ସରକାର ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ନୂତନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ନୂତନ ଗାଇଡ୍‌ଲାଇନ୍‌ ଅନୁଯାୟୀ, ବିଦେଶରୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ନେଗେଟିଭ୍ ଆରଟି ପିସିଆର ଟେଷ୍ଟ ରିପୋର୍ଟ ଜରୁରୀ। ଏହି ରିପୋର୍ଟ ଯାତ୍ରାର ଠିକ୍ ୭୨ ଘଣ୍ଟା ପୂର୍ବର ହୋଇଥିବା ଉଚିତ୍। ଏପରିକି ସମସ୍ତ ଯାତ୍ରୀଙ୍କୁ ଏହି ରିପୋର୍ଟର ସତ୍ୟାସତ୍ୟ ପାଇଁ ଘୋଷଣାପତ୍ର ମଧ୍ୟ ଦେବାକୁ ପଡିବ।

ଏଥିସହ ସରକାର ସେହି ଦେଶର ତାଲିକା ଜାରି କରିଛନ୍ତି, ଯେଉଁ ଦେଶର ନାଗରିକଙ୍କୁ ଭାରତ ଆସିଲେ କରୋନା ନିୟମ ମାନିବା ଜରୁରୀ। ଭାରତରେ ପହଞ୍ଚିବା ପରେ କରୋନା ଟେଷ୍ଟ ମଧ୍ୟ ସାମିଲ୍ ରହିଛି। ଉକ୍ତ ସୁଚୀରେ ରହିଛି ୟୁରୋପ ଦେଶ, ୟୁନାଇଟେଡ୍ କିଙ୍ଗଡମ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋତସଭାନା, ଚୀନ, ମରିସସ, ନ୍ୟୁଜିଲାଣ୍ଡ ଓ ଜିମ୍ବାଓ୍ଵେ ସାମିଲ୍। ଏହି ସବୁ ଦେଶକୁ ବିପଦ ଦେଶ ତାଲିକାରେ ରଖାଯାଇଛି।

ସୂଚନାଯୋଗ୍ୟ, ବ୍ରିଟେନରେ କରୋନାର ଡେଲ୍‌ଟା ଭାରିଏଣ୍ଟର ନୂତନ ମ୍ୟୁଟେସନ ଆତଙ୍କ ଖେଳାଇଛି। ଅକ୍ଟୋବର ୧୧ ପରଠୁ ସେଠାରେ ପ୍ରତିଦିନ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସବୁଠୁ ବଡ କଥା ଦେଶର ଅର୍ଦ୍ଧାଧିକ ଲୋକ କରୋନାର ଡବଲ ଡୋଜ୍ ନେଇ ସାରିଥିଲେ ବି ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଠାରେ ବୁଷ୍ଟର ଡୋଜ୍ ମଧ୍ୟ ଲୋକେ ଲଗାଇବା ଆରମ୍ଭ କଲେଣି।

ଏହା ସତ୍ତ୍ଵେ କରୋନାର ମ୍ୟୁଟେସନ ଭର୍ସନ ଦ୍ରୁତ ଗତିରେ  ବ୍ୟାପିବାରେ ଲାଗିଛି। ତେଣୁ ବ୍ରିଟେନର ପ୍ରଭାବ ଭାରତ ଉପରେ ନପଡୁ ସେଥିପାଇଁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେଉଁ ଯାତ୍ରୀ ଏହି ନିୟମର ଉଲ୍ଲଂଘନ କରିବ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.