ଆରଏସଏସ ଆଦର୍ଶବାଦୀ ଓ ସଂଗଠନର ପ୍ରଥମ ମୁଖପାତ୍ର ମାଧବ ଗୋବିନ୍ଦ ବୈଦ୍ୟଙ୍କ ପରଲୋକ
19/12/2020 at 7:16 PM

ନାଗପୁର ୧୯।୧୨: ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ(ଆରଏସଏସ) ଆଦର୍ଶବାଦୀ ତଥା ସଂଗଠନର ପ୍ରଥମ ମୁଖପାତ୍ର ମାଧବ ଗୋବିନ୍ଦ ବୈଦ୍ୟଙ୍କ ଶନିବାର ଅପରାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ତାଙ୍କର ନାତି ବିଷ୍ଣୁ ବୈଦ୍ୟ ଏ ନେଇ ସୂଚନା ଦେଇଛନ୍ତି ଯେ, ଆଜି ଅପରାହ୍ନ ୩ଟା ୩୫ରେ ଏକ ଘରୋଇ ହସ୍ପିଟାଲରେ ଜେଜେ ବାପାଙ୍କ ଦେହାନ୍ତ ଘଟିଛି।
ମାଧବ ଗୋବିନ୍ଦ କରୋନା ଭାଇରସ୍ ସଂସ୍ପର୍ଶରେ ଆସିଥିଲେ ଏବଂ ସଂକ୍ରମଣରୁ ମୁକ୍ତ ହୋଇଥିଲେ। ହେଲେ ଶୁକ୍ରବାର ତାଙ୍କ ସ୍ଵାସ୍ଥ୍ୟବସ୍ଥା ଅଚାନକ ବିଗିଡିଥିଲା। ତାଙ୍କୁ ନାଗପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ବିଷ୍ଣୁ ବୈଦ୍ୟ କହିଛନ୍ତି। ରବିବାର ଅମ୍ଵାଜି ଘାଟରେ ସକାଳ ୯ଟା ୩୦ରେ ମାଧବଙ୍କ ଶେଷ କୃତ୍ୟ ସଂପନ୍ନ କରାଯିବ ବୋଲି କୁହାଯାଇଛି।
ଆରଏସଏସର ଯୁଗ୍ମ ସଂପାଦକ ତଥା ମାଧବ ଗୋବିନ୍ଦଙ୍କ ପୁତ୍ର ଡ. ମନମୋହନ ବୈଦ୍ୟ ଟ୍ଵିଟ୍ କରି କହିଛନ୍ତି, ବାପା ୯୭ ବର୍ଷ ବୟସରେ ଆଜି ଅପରାହ୍ନ ୩ଟା ୩୫ ମିନିଟ୍ରେ ନାଗପୁରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସେ ଜଣେ ଭେଟେରାନ ସାମ୍ବାଦିକ ଏବଂ ନଅ ଦଶନ୍ଧି ଧରି ଆରଏସଏସରେ ଥିଲେ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମାଧବଙ୍କ ପରଲୋକରେ ଦୁଃଖ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।