ସିଏଏ ଉପରେ ମୁସଲମାନଙ୍କୁ ଭରସା ଦେଲେ ଆରଏସଏସ ପ୍ରମୁଖ ମୋହନ ଭାଗବତ

Published By : Prameya-News7 Bureau | July 21, 2021 IST

ଗୌହ୍ଵାଟୀ ୨୧।୦୭: ସଂଶୋଧିତ ନାଗରିକତା ଆଇନ(ସିଏଏ)କୁ ନେଇ ଦେଶର ମୁସଲମାନଙ୍କୁ ଭରସା ଦେଲେ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ(ଆରଏସଏସ)। ଆରଏସଏସ ପ୍ରମୁଖ ମୁସଲମାନମାନଙ୍କୁ ଭରସା ଦେଇ କହିଛନ୍ତି ଯେ, ସିଏଏରେ ସେମାନଙ୍କର କୌଣସି କ୍ଷତି ହେବ ନାହିଁ। ସଂଖ୍ୟାଲଘୁଙ୍କୁ ଦେଶ ବିଭାଜନ ସମୟରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ଭାରତ ତାର ପାଳନ  କରୁଛି। ମାତ୍ର ପାକିସ୍ତାନ ଏହାର ପାଳନ କରୁନାହିଁ। ଭାରତକୁ ଧର୍ମନିରପେକ୍ଷତା, ସମାଜବାଦ କିମ୍ବା ଗଣତନ୍ତ୍ର ଦୁନିଆଠୁ  ଶିଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ଭାଗବତ କହିଛନ୍ତି।

ଗୌହ୍ଵାଟୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୋହନ  ଭାଗବତ କହିଛନ୍ତି, ସିଏଏ ଭାରତର କୌଣସି ନାଗରିକଙ୍କ ବିରୋଧରେ ତିଆରି କରାଯାଇନାହିଁ। ଭାରତର ନାଗରିକ ମୁସଲମାନଙ୍କୁ ସିଏଏରେ କୌଣସି କ୍ଷତି ହେବ ନାହିଁ। ବିଭାଜନ ସମୟରେ ଆଶ୍ଵାସନ ଦିଆଯାଇଥିଲା ଯେ, ଦେଶ ସଂଖ୍ୟାଲଘୁଙ୍କ ଚିନ୍ତା କରିବ। ଭାରତ ଏପର୍ଯ୍ୟନ୍ତ ଏହାର ପାଳନ କରି ଆସିଛି। ହେଲେ ପାକିସ୍ତାନ ଏହାର ପାଳନ କରୁନାହିଁ।

ଆମକୁ ଧର୍ମନିରପେକ୍ଷତା, ସମାଜବାଦ କିମ୍ବା ଗଣତନ୍ତ୍ରର ପରିଭାଷା ଦୁନିଆଠୁ ଶିଖିବାର ଆବଶ୍ୟକତା ନାହିଁ। ଏହା ଆମର ପରମ୍ପରା ଓ ରକ୍ତରେ ରହି ଆସିଛି। ଆମ ଦେଶ ଏହାକୁ ଲାଗୁ କରିଛି ଏବଂ ଜୀବିତ ରଖିଛି ବୋଲି ଭାଗବତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.