ଧାରା ୩୭୦ ହଟିବା ପରେ ପ୍ରଥମଥର ପାଇଁ ୪ ଦିନିଆ ଗସ୍ତରେ ଜାମ୍ମୁରେ ପହଞ୍ଚିଲେ RSS ମୁଖ୍ୟ ମୋହନ ଭାଗବତ

Published By : Prameya-News7 Bureau | September 30, 2021 IST

ଶ୍ରୀନଗର ୩୦/୦୯ :  ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଧାରା ୩୭୦ ଓ ୩୫କ(A) ହଟିବା ପରେ ପ୍ରଥମଥର ପାଇଁ ଚାରି ଦିନିଆ ଗସ୍ତରେ ଜମ୍ମୁ-କାଶ୍ମୀର ଯାଇଛନ୍ତି। ସେ ୩ ଅକ୍ଟୋବର ପର୍ଯ୍ୟନ୍ତ ସେଠାରେ ରହିବେ। ଏହି ସମୟରେ ତାଙ୍କର ପ୍ରବୁଦ୍ଧ ବର୍ଗର ସଦସ୍ୟମାନଙ୍କ ସହିତ କଥାବାର୍ତ୍ତା କରିବେ। ଏହି ଯାତ୍ରା ସମୟରେ ତାଙ୍କର ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବିମାନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ମୋହନ ଭାଗବତଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସ୍ଥାନୀୟ ସଂଘ କାର୍ଯ୍ୟାଳୟ କେଶବ ଭବନର ସୁରକ୍ଷା କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସ୍ଥୀନୀୟ ସ୍ୱୟଂସେବକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ସେମାନଙ୍କୁ ଯାଞ୍ଚ କଲା ପରେ କେଶବ ଭବନକୁ ଯିବାକୁ ଅନୁମତି ମିଳୁଛି। ସୂଚନା ମୁତାବକ ସେଠାରେ ଥିବା ବୁଦ୍ଧିଜୀବି ମାନଙ୍କ ସହ ମିଶିବା ଭାଗବତଙ୍କର ସାର୍ବଜନୀନ କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ସଂଘ ପ୍ରବକ୍ତାଙ୍କ ଅନୁଯାୟୀ ସଂଘର ମୁଖ୍ୟ ପ୍ରତି ଦୁଇ ବର୍ଷକୁ ଥରେ ବିଭିନ୍ନ ରାଜ୍ୟକୁ ଯିବାର କାର୍ଯ୍ୟକ୍ରମ ଥାଏ। କିନ୍ତୁ କରୋନା ମହାମାରୀ କାରଣରୁ ଏହା ଏବେ ସ୍ଥଗିତ ରହିଛି। ଧାରା ୩୭୦ ନିଷିଦ୍ଧ ହେବା ପରେ ସଂଘ ଚାଳକଙ୍କ  ଜମ୍ମୁକୁ ଏହା ପ୍ରଥମ ଯାତ୍ରା।

ସୂଚନାନୁଯାୟୀ ଅକ୍ଟୋବର ୨ ତାରିଖରେ ମୋହନ ପ୍ରାନ୍ତ ସଂଘ ଚାଳକ ବ୍ରିଗେଡିୟର ସୁଚେତ ସିଂହ ଓ ଡ. ଗୌତମ ମେଙ୍ଗିଙ୍କ  ବାସ ଭବନକୁ ଯାଇ ସାକ୍ଷାତ କରିବେ। ଏହାପରେ ଜେନେରାଲ ଯୋରାବର ସିଂହ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରବୁଦ୍ଧ ବ୍ୟକ୍ତିଙ୍କ ସହ ସର୍ବସାଧାରଣଙ୍କୁ ସମ୍ବୋଧିତ କରିବେ। ତାଙ୍କ ଯାତ୍ରାର ଶେଷ ଦିନ ପ୍ରାୟ ୬୨୫ ଟି ଶାଖାର ୫୦,୦୦୦ ସ୍ୱୟଂସେବକ ମାନଙ୍କ ସହ ଅନଲାଇନ ମାଧ୍ୟମରେ ମିଶିବାର ଯୋଜନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.