Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ଲକ୍ଷ ୯୦ହଜାର ଟଙ୍କା ପ୍ରଦାନ

11/05/2019 at 12:30 PM

ଭୁବନେଶ୍ବର ୧୧|୫:  ବାତ୍ୟା ଫୋନି ବିପନ୍ନଙ୍କୁ ସହାୟତା ସହ ପୁନରୁଦ୍ଧାର ନିମନ୍ତେ ଗତକାଲି ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଓଡିଶା ପୋଲିସ ରିଲିଫ୍‌ ଓ କଲ୍ୟାଣ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦିଆଯାଇଛି। ପୋଲିସ ମହାନିର୍ଦ୍ଦେଶକ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ସଚିବାଳ‌ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚେକ୍‌ ପ୍ରଦାନ କରିଛନ୍ତି। ପ୍ରଗତିବାଦୀ ପକ୍ଷରୁ ମୋନାଲିସା ବଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୫ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ପକ୍ଷରୁ ପରିଚାଳନା ନିର୍ଦେଶକ ମହେନ୍ଦ୍ର ଗୁପ୍ତା ମୁଖ୍ୟମନ୍ତ୍ରୀଙ୍କୁ ୧୧ ଲକ୍ଷ ଟଙ୍କାର ଚେକ୍‌ ଦେଇଛନ୍ତି।

ସେହିପରି ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି ତାଙ୍କ ପେନ୍‌ସନ ଅର୍ଥରୁ ୪୪ ହଜାର ଟଙ୍କା, ସାଂସଦ ଅନୁଭବ ମହାନ୍ତି ୨ଲକ୍ଷ ଟଙ୍କା, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ୧ଲକ୍ଷ ଟଙ୍କା, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କ ୧୦ ମାସର ବେତନ ୩ଲକ୍ଷ ୫୦ ହଜାର ଟଙ୍କା, ସ୍ୟାଣ୍ଡି ରିସର୍ଚ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୫ଲକ୍ଷ ଟଙ୍କା, କେନ୍ଦ୍ରପଡା ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କ୍‌ ପକ୍ଷରୁ ୧ଲକ୍ଷ ୧ ହଜାର ଟଙ୍କା, ପୂର୍ବତନ କର୍ପୋରେଟର ସଂଜୟ ବଳିଆରସିଂ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ସେହିପରି ଏସ୍‌ସିବି ମେଡିକାଲ୍‌ କଲେଜ୍‌ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ସିଦ୍ଧାର୍ଥ ଦାସ ୯୪ହଜାର ୪୩୮ ଟଙ୍କା, ହୋଟେଲ୍‌ ସ୍ବସ୍ତି ଗ୍ରୁପ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ଦିଆଯାଇଛି।

ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବାକୁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

   Related Posts