Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିବିଆଇ ଜାଲରେ ଆରପିଏଫ୍ ଅଧିକାରୀ ଓ କନେଷ୍ଟବଳ

29/08/2019 at 8:22 AM

ବାରିପଦା ୨୮: ବାରିପଦା ରେଳ ଷ୍ଟେସନ ଭିତରେ ଥିବା ଆରପିଏଫ ଅଧିକାରୀ ଏବଂ କନେଷ୍ଟବଳଙ୍କୁ ଗିରଫ କଲା ସିବିଆଇ । ଷ୍ଟେସନ ରୋଡରେ ଥିବା ଦୋକାନ ଉଚ୍ଛେଦ ପାଇଁ ଧମକ ଦେଇ ଟଙ୍କା ଆଦାୟ କରୁଥିବାର ଅଭିଯୋଗ ହୋଇଛି। ଜଣେ କନେଷ୍ଟବଳ ଫେରାର ହୋଇଯାଇଛନ୍ତି ।

ବାରିପଦା ରେଲଓ୍ବେ ଷ୍ଟେସନ ଜିଆରପି ଥାନା ଅଧିକାରୀ ଅମିତ କୁମାର ନିୟମିତ ଭାବରେ ଷ୍ଟେସନ ଚାରିପାଖରେ ଥିବା ଦୋକାନୀ ଓ ବ୍ୟବସାୟୀମାନଙ୍କ ପାଖରୁ ଧମକ ଦେଇ ଟଙ୍କା ଆଦାୟ କରି ଆସୁଥିଲେ। ତେବେ ଯିଏ ଦେଉନଥିଲା ତା ଦୋକାନ ଭାଙ୍ଗିଦେବାର ଧମକ ଦେଉଥିଲେ । ଜଣେ ହୋଟେଲ ମାଲିକ ଏହି ଅଧିକାରୀ ଧମକ ଓ ଅତ୍ୟାଚାରରେ ଅତିଷ୍ଠ ହୋଇ ଶେଷକୁ ଭୁବନେଶ୍ବର ସିବିଆଇ ପାଖରେ ଅଭିଯୋଗ କରିଥିଲେ । ପ୍ରସ୍ତୁତି ଅନୁଯାୟୀ ୫୦ହଜାର ଟଙ୍କାରେ କଥା ଛିଡାଇ ପ୍ରଥମ କିସ୍ତିରେ ୧୦ହଜାର ଟଙ୍କା ଦେଣନେଣ ବେଳେ ସିବିଆଇ ଦଳ ହାତରେ ଧରାପଡିଛନ୍ତି ଏହି ଲାଞ୍ଚୁଆ ଆରପିଏଫ୍ ଅଧିକାରୀ ଓ ତାଙ୍କ ଦୁଇ ସହଯୋଗୀ କନେଷ୍ଟବଳ ପ୍ରମୋଦ ମାରାଣ୍ଡି ଓ ବାଘରାୟ ମୁର୍ମୁ । ହେଲେ ବାଘରାୟ ସିବିଆଇ ହାତରୁ ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ବ୍ୟବସାୟୀ ଓ ଲୋକଙ୍କ ଅଭିଯୋଗ ଅନୁସାରେ ଅମିତ କୁମାର ସମସ୍ତ ବ୍ୟବସାୟୀଙ୍କୁ ଧମକ ଦେଇ ଆସୁଥିଲେ। ଏପରିକି ଖବରକାଗଜ ବିକାଳି ପରି ଛୋଟ ବ୍ୟବସାୟୀଙ୍କଠାରୁ ମଧ୍ୟ ଦୈନିକ ୨୦ ଟଙ୍କା ନେଉଥିଲେ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ସିବିଆଇ ଟିମ୍ ଆରପିଏଫ୍ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଙ୍କୁ ଅଟକ ରଖି ପଚରାଉଚରା କରିବା ସହିତ ଗିରଫ କରିଛି । ରାତି ପ୍ରାୟ ୨ଟା ବେଳକୁ ସିବିଆଇ ଦଳ ଗିରଫ ଅଭିଯୁକ୍ତମାନଙ୍କୁ ସାଙ୍ଗରେ ଧରି ଅଧିକ ତଦନ୍ତ ଲାଗି ଭୁବନେଶ୍ବର ନେଇ ଯାଇଛନ୍ତି।

   Related Posts