ପ୍ରେମିକା ପାଇଁ ସ୍ତ୍ରୀକୁ ହତ୍ୟା କଲା ଆରପିଏଫ ଇନ୍ସପେକ୍ଟର, ଘଟଣା ଲୁଚାଇବା ପାଇଁ କରିଦେଇଥିଲେ ଶବଦାହ

Published By : Prameya-News7 Bureau | July 06, 2019 IST

ସମସ୍ତିପୁର ୬|୭: ବିହାର ସମସ୍ତିପୁରା ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଆରପିଏଫ୍ ଇନ୍ସପେକ୍ଟର ପ୍ରେମିକା ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରି ଫେରାର ହୋଇଯାଇଛି । ଘଟଣା ସଂପର୍କରେ ମୃତ ମହିଳାଙ୍କ ବାପଘରଲୋକ ଥାନାରେ ଅଭିଯୋଗ କରିଛନ୍ତି । ଫେରାର ଥିବା ଇନ୍ସପେକ୍ଟର ଖୋଜିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁସାରେ ବିହାର ସମସ୍ତିପୁରା ଜିଲ୍ଲାର ହସନପୁର ରେଳଓ୍ବେ ଷ୍ଟେସନର ଆରପିଏଫ ଥାନାରେ କାର୍ଯ୍ୟରତ ଇନ୍ସପେକ୍ଟର ତାରକେଶ୍ବର କୁମାର ଯାଦବ ନିଜ ସ୍ତ୍ରୀ ଲଳିତା ଦେବୀଙ୍କୁ ହତ୍ୟା କରିଛନ୍ତି । ଘଟଣାକୁ ଲୁଚାଇବାକୁ ଯାଇ ସ୍ତ୍ରୀର ଶବ ସଂସ୍କାର ମଧ୍ୟ କରିଦେଇଛନ୍ତି । ଘଟଣା ସଂପର୍କରେ ସୂଚନା ପାଇବା ପରେ ମୃତ ଲଳିତାଙ୍କ ବାପଘରଲୋକ ଝିଅର ଶାଶୁଘରେ ପହଞ୍ଚିଥିଲେ । ସେଠାରେ ସେମାନେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଝିଅର ମୃତ୍ୟୁ ହୋଇଯାଇଛି ଏବଂ ତାଙ୍କ ଶହ ସଂସ୍କାର ମଧ୍ୟ ସରିଛି ।

ଲଳିତାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ନେଇ ବାପଘରଲୋକ ଥାନାରେ ଅଭିଯୋଗ କରିଛନ୍ତି । ମୃତ ଲଳିତାଙ୍କ ପରିବାରଲୋକଙ୍କ କହିବା ଅନୁସାରେ ଜ୍ବାଇଁ ତାରକେଶ୍ବର ଯାଦବଙ୍କର ତାଙ୍କ ବିଭାଗରେ କାର୍ଯ୍ୟରତ ଜଣେ ମହିଳାଙ୍କ ସହ ଅବୈଧ ସଂପର୍କ ରହିଥିଲା । ସେହି କାରଣରୁ ସେ ତାଙ୍କ ସ୍ତ୍ରୀକୁ ହତ୍ୟା କରିଛନ୍ତି ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି । ମୃତ ମହିଳାଙ୍କ ବାପା କହିଛନ୍ତି ଯେ, ଗତ ୬ମାସ ହେବ ତାଙ୍କ ଜ୍ବାଇଁ ତାଙ୍କ ଝିଅକୁ ମାରପିଟ କରୁଥିଲେ । ଏହାସହ ତାଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ । ଝିଅ ମଧ୍ୟ ତାଙ୍କୁ କହିଥିଲେ ଯେ ତାଙ୍କ ସ୍ବାମୀଙ୍କର ଅନ୍ୟ ଝିଅ ସହ ସଂପର୍କ ଅଛି ।  କିଛି ଦିନ ତଳେ ଝିଅ ତାଙ୍କୁ କହିଥିଲେ ଯେ, ତାରକେଶ୍ବର ତାଙ୍କ ପ୍ରେମିକାକୁ ସାଥିରେ ନେଇ ଘରକୁ ଆସୁଛନ୍ତି ଏବଂ ସେମାନେ ମିଶି ତାଙ୍କୁ ମାରିଦେବେ ବୋଲି ।

ଘଟଣା ପରେ ଅଭିଯୁକ୍ତ ତାରକେଶ୍ବର ଫେରାର ହୋଇଯାଇଛନ୍ତି । ପୋଲିସ ତାଙ୍କୁ ଖୋଜିବା ସହ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.