ହାଇଦ୍ରାବାଦ ପଞ୍ଝାରୁ ମ୍ୟାଚ୍ ଛଡାଇ ଆଣିଲା ଆରସିବି, ପ୍ରଥମ ଦଳ ଭାବେ ଜିତିଲା କ୍ରମାଗତ ଦୁଇଟି ମୁକାବିଲା

Published By : Prameya-News7 Bureau | April 14, 2021 IST

ଚେନ୍ନାଇ ୧୪।୦୪: ବ୍ୟାଟସମ୍ୟାନଙ୍କ ଦ୍ଵାରା ନିରାଶଜନକ ପ୍ରଦର୍ଶନ ସତ୍ତ୍ଵେ ବି ବୋଲରଙ୍କ ଦମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଆଇପିଏଲର ୧୪ଶ ସଂସ୍କରଣରେ କ୍ରମାଗତ ଦ୍ଵିତୀୟ ହାସଲ କରିଛି। ବ୍ୟାଟସମ୍ୟାନଙ୍କ ବିଫଳତା ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ କ୍ରମାଗତ ଦ୍ଵିତୀୟ ପରାଜୟ ଭୋଗିଛି। ଅଧିନାୟକ ଡେଭିଡ ଓ୍ଵାର୍ଣ୍ଣରଙ୍କ ଅର୍ଦ୍ଧଶତକ ନିଷ୍ଫଳ ହୋଇଛି। ଏହି ବିଜୟ ସହ ଆରସିବି ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି।

ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଗ୍ଲେନ ମ୍ୟାକ୍ସଓ୍ଵେଲ(୫୯) ଓ ବିରାଟ କୋହଲି(୩୩)ଙ୍କ ଜରିଆରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୪୯ ରନ କରିଥିଲା। ଜବାବରେ ହାଇଦ୍ରାବାଦ ଡେଭିଡ୍ ଓ୍ଵାର୍ଣ୍ଣର(୫୪) ସତ୍ତ୍ଵେ ୯ ଓ୍ଵିକେଟ୍ ହରାଇ ୧୪୩ ରନରେ ସୀମିତ ରହିଥିଲା। ଶାହାବାଜ ଅହମ୍ମଦ ୨ ଓଭରରେ ମାତ୍ର ୭ ରନ ଦେଇ ୩ ଓ୍ଵିକେଟ୍ ନେଇ ବାଙ୍ଗାଲୋର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୧୭ତମ ଓଭରରେ ଅହମ୍ମଦ ୩ ଓ୍ଵିକେଟ୍ ନେବା ମ୍ୟାଚ୍‌ର ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା।

୧୫୦ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦକୁ ୧୩ ରନ ସ୍କୋରରେ ଋଦ୍ଧିମାନ ଶାହା(୧)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଏହା ପରେ ଡେଭିଡ୍ ଓ୍ଵାର୍ଣ୍ଣର ଓ ମନିଷ ପାଣ୍ଡେ ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଦ୍ଵିତୀୟ ଓ୍ଵିକେଟ୍‌ରେ ଦୁଇ ବ୍ୟାଟସମ୍ୟାନ ୮୩ ରନ ଯୋଡି ଦଳର ସ୍ଥିତି ମଜବୁତ କରିବା ସହିତ ବିଜୟ ପାଇଁ ମୂଳଦୁଆ ପକାଇଥିଲେ।

ଡେଭିଡ୍ ଓ୍ଵାର୍ଣ୍ଣର ଅର୍ଦ୍ଧଶତକୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ସେ ୩୭ ବଲ୍‌ରୁ ୭ ଚୌକା ଓ ୧ ଛକା ୫୪ ରନ କରିଥିଲେ। ତାଙ୍କ ଆଉଟ୍ ହେବା ମାତ୍ରେ ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। କେବଳ ମନିଷ ପାଣ୍ଡେ ୩୮ ରନ କରିବାକୁ ସକ୍ଷମ ହୋଇଥିଲେ। ୧୭ ତମ ଓଭର ବୋଲିଂ କରିଥେିବା ଶାହାବାଜ ଅହମ୍ମଦ ହାଇଦ୍ରାବାଦର ୩ ଓ୍ଵିକେଟ୍ ନେଇ ମ୍ୟାଚ୍‌ର ମଙ୍ଗ ମୋଡିଥିଲେ। ଶେଷରେ ହାଇଦ୍ରାବାଦ ୯ ଓ୍ଵିକେଟ୍ ହରାଇ ୧୪୩ ରନ କରିବାକୁ ସକ୍ଷମ ହୋଇଥିଲା। ଶେଷ ଆଡକୁ ରଶିଦ ଖାନ ୯ ବଲ୍‌ରୁ ୧୭ ରନ କରିଥିଲେ।

ବାଙ୍ଗାଲୋର ପକ୍ଷରୁ ଶାହାବାଜ ଅହମ୍ମଦ ୨ ଓଭରରେ ୭  ରନ ଦେଇ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମହମ୍ମଦ ସିରାଜ ଓ ହର୍ଷଲ ପଟେଲ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.