ପୁଅ ଜନ୍ମଦିନରେ ଆସିବାକୁ କହିଥିଲେ, ତାପୂର୍ବରୁ କୋଲକାତାରେ ଚାଲିଗଲା ପ୍ରାଣ : ରାଉରକେଲା ଘରକୁ ଆସିପାରୁନାହିଁ ମୃତଦେହ

Published By : Prameya-News7 Bureau | July 25, 2020 IST

ରାଉରକେଲା ୨୫।୦୭: କରୋନାରେ ଆକ୍ରାନ୍ତ ହୋଇ ରାଉରକେଲାର ଜଣେ ଯୁବକ କୋଲକାତାରେ ପ୍ରାଣ ହରାଇଛନ୍ତି। ତେବେ ମୃତ୍ୟୁ ଘଟିବାର ୪ ଦିନ ହେଲାଣି କୋଲକାତାରେ ତାଙ୍କର ମୃତଦେହ ପଡ଼ି ରହିଥିଲେ ମଧ୍ୟ ରାଉରକେଲା ଆସିପାରୁନାହିଁ।

ରାଉରକେଲା ନବକୃଷ୍ଣନଗରର ୪୨ ବର୍ଷୀୟ ବ୍ୟକ୍ତି ଅନନ୍ତ ଭୋଳ କୋଲକାତାରେ ପ୍ରାଣ ହରାଇଛନ୍ତି। ଅନନ୍ତ ୮ ମାସ ହେଲା କୋଲକାତାରେ ଚାକିରୀ କରୁଥିଲେ। ସେ ନିଜେ ଏକୁଟିଆ କୋଲକାତାରେ ରହୁଥିବା ବେଳେ ରାଉରକେଲାରେ ତାଙ୍କର ବାପା, ମା', ପୁଅ ରହୁଛନ୍ତି। ୪ ବର୍ଷର ପୁଅ ଦିବ୍ୟାଂଶୁର ଗତକାଲି ଜନ୍ମଦିନ ଥିଲା। ବାପା ପୂର୍ବରୁ କହିଥିଲେ ଜନ୍ମଦିନରେ ଘରକୁ ଆସି ତା ପାଇଁ ସାଇକେଲ୍ କିଣିଦେବେ। ହେଲେ ଏବେ ଦିବ୍ୟାଂଶୁର ବାପା ଅନନ୍ତ ଭୋଳଙ୍କ ମୃତଦେହ ୪ ଦିନ ହେଲା କୋଲକାତାର ଏକ ହସ୍ପିଟାଲରେ ପଡ଼ି ରହିଛି।

ଗତ ୧୫ ତାରିଖରେ ତାଙ୍କର କୋଲକାତାରେ ଦେହ ଖରାପ ହେବାରୁ ସେ ନିକଟସ୍ଥ ଏକ ଡାକ୍ତରଖାନା ଯାଇଥିଲେ। ଡାକ୍ତର ତାଙ୍କୁ ଔଷଧ ଦେଇଥିଲେ ମଧ୍ୟ କୋଭିଡ୍ ପରୀକ୍ଷା କରାଯାଇନଥିଲା, ପରେ ୨୧ ତାରିଖରେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ଅନ୍ୟ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯିବାରୁ ୨୨ ତାରିଖରେ ରିପୋର୍ଟ ପଜିଟିଭ୍ ଆସିଥିଲା। ତେବେ ରାଉରକେଲା ପ୍ରଶାସନର ହସ୍ତକ୍ଷେପ ପରେ କୋଲକାତାରେ ତାଙ୍କର ଶବ ସତ୍କାର କରାଯିବାର ବାଟ ଫିଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.